କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ପର୍ଯ୍ୟଟକମାନେ ଏବେ ନନ୍ଦନକାନନରେ ପଶୁ ପକ୍ଷୀଙ୍କୁ ଦେଖିବାର ମଜା ନେଉଥିବା ବେଳେ ଆଗକୁ ପଶ୍ଚିମ ଓଡ଼ିଶାରେ ଚିଡିଆଖାନା ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ । ବିଶ୍ୱ ପର୍ଯ୍ୟଟନ ଦିବସରେ ଏହି ସୂଚନା ଦେଇଛନ୍ତି ପର୍ୟ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ।
ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ଅନେକ ଯୋଜନା କରିଛି ରାଜ୍ୟ ସରକାର । ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ କରିପାରନ୍ତି ରାଜ୍ୟ ସକରାର । ଓଡିଶାରେ ଆଡଭେଞ୍ଚର ସ୍ପୋର୍ଟ୍ସ ପାଇଁ ଅନେକ ସୁଯୋଗ ରହିଛି । କିନ୍ତୁ ଏଦିଗରେ ପୂର୍ବରୁ କାମ ହୋଇନାହିଁ । ଆଡଭେଞ୍ଚର ସ୍ପୋର୍ଟ୍ସ ତଥା ଏହାର ପଲିସି ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତା ସପ୍ତାହ ମେଘାଳୟ ଗସ୍ତରେ ଯିବେ ମନ୍ତ୍ରୀ । ଓଡିଶା ଫେରିବା ପରେ ଆଡଭେଞ୍ଚର ସ୍ପୋର୍ଟ୍ସ ଉପରେ ଅନେକ କାମ କରାଯିବ ବୋଲି ସେ କହିଛନ୍ତି । ଏହାସହ ଓଡିଶାରେ ବୁଦ୍ଧିଷ୍ଟ କରିଡର ପ୍ରତି ଗୁରୁତ୍ୱ ଦିଆଯିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକରୁ ଅଧିକ ଇକୋ ଟୁରିଜମର ବ୍ୟବସ୍ଥା କରାଯିବ ବୋଲି ପର୍ୟ୍ୟଟନ ମନ୍ତ୍ରୀ କହିଛନ୍ତି ।