କନକ ବ୍ୟୁରୋ : ଆଉ କିଛି ଦିନ ପରେ ଚାଲିଯିବ ପୁରୁଣା ବର୍ଷ, ଆସିଯିବ ନୂଆ ବର୍ଷ । ୨୦୨୫ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବର୍ଷ ବଦଳିବା ସହ ବଦଳିଯିବ ଅନେକ ନିୟମ । ଏହି ନିୟମ ପରିବର୍ତ୍ତନ ସହ ଆପଣଙ୍କ ରୋଷେଇ ଘର ଆଉ ପକେଟ ଉପରେ ପଡିବ ବଡ ପ୍ରଭାବ । ଏହି ପରିବର୍ତ୍ତନରେ ଏଲପିଜି ସିଲିଣ୍ଡରର ଦାମଠାରୁ ୟୁପିଆଇ ପେମେଣ୍ଟର ରୁଲ ବି ସାମିଲ ଅଛି । ତେବେ ବର୍ଷ ବଦଳିବା ପୂର୍ବରୁ ବଦଳୁଥିବା ନିୟମ ବିଷୟରେ ଜାଣି ରଖନ୍ତୁ...
ସବୁ ମାସରେ କିଛି ଜିନିଷରେ ପରିବର୍ତ୍ତନ ହେଲା ଭଳି ଆଗାମୀ ଜାନୁଆରୀ ୧ରେ ବି ପରିନବର୍ତ୍ତନ ଦେଖିବାକୁ ମିଳିବ । ବର୍ଷର ପ୍ରଥମ ଦିନରୁ ହିଁ ଦେଶରେ ୫ ବଡ ନିୟମ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ନଜର ପକାଇବା ଏହି ୫ ପରିର୍ତ୍ତନ ଉପରେ -
ଏଲପିଜି ଦାମରେ ହେବ ପରିବର୍ତ୍ତନ
ସବୁ ମାସର ପ୍ରଥମ ତାରିଖ ପରି ଜାନୁଆରୀ ୧ ତାରିଖରେ ଅଏଲ ମାର୍କେଟିଙ୍ଗ କମ୍ପାନୀ ଘରୋଇ ଓ କମର୍ସିଆଲ ଏଲପିଜି ଗ୍ୟାସର ଦାମରେ ସଂସୋଧନ କରି ନୂଆ ଦାମ ଜାରି କରିବେ । ଗତ କିଛି ଦିନ ପୂର୍ବରୁ କମ୍ପାନୀ ୧୯ ଗ୍ରାମ କମର୍ସିଆଲ ସିଲିଣ୍ଡରର ଦାମରେ ଅନେକ ପରିବର୍ତ୍ତନ କରିଛନ୍ତି । ହେଲେ ଲମ୍ବା ସମୟ ଧରି ୧୪ କିଲୋର ଘରୋଇ ସିଲିଣ୍ଡରର ଦାମ ସ୍ଥିର ରହିଛି । ଏଭଳି ସ୍ଥିତିରେ ଏଥର ଏହାର ଦାମରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଛି । ଏହାସହ ଉଡାଜାହଜ ଇନ୍ଧନର ଦାମରେ ବି କିଛି ପରିବର୍ତ୍ତନ ହୋଇପାରେ ।
ଇପିଏଫଓର ନୂଆ ନିୟମ
ନୂଆ ବର୍ଷରେ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଅର୍ଥାତ ଇପିଏଫଓ ଦ୍ବାରା ପେନସେନଧାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରାଯିବ । ଯାହା ତାଙ୍କ ପାଇଁ ଏକ ବଡ ଉପହାର । ଇପିଏଫଓ ପେନସନଧାରୀଙ୍କ ପାଇଁ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଯାହା ଦ୍ୱାରା ପେନସନଧାରୀ ନିଜ ପେନସନ ଟଙ୍କା ଦେଶର କୌଣସି ବି ବ୍ୟାଙ୍କରୁ ବାହାର କରିପାରିବେ ଆଉ ଏଥିପାଇଁ ତାଙ୍କୁ କୌଣସି ଅତିରିକ୍ତ ଭେରିଫିକେସନର ଆବଶ୍ୟକତା ପଡିବ ନାହିଁ ।
ୟୁପିଆଇ ୧୨୩ପେ' ନିୟମ
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଫିଚର ଫୋନରେ ଅନଲାଇନ ପେମେଣ୍ଟର ସୁବିଧା ଦେବା ପାଇଁ ୟୁପିଆଇ ୧୨୩ପେ' ଆରମ୍ଭ କରିଥିଲେ । ବର୍ତ୍ତମାନ ଏହାର ଟ୍ରାଞ୍ଜାକ୍ସନ ଲିମିଟକୁ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି, ଯାହାକି ଜାନୁଆରୀ ୧ରୁ ଲାଗୁ ହେବ । ଏହି ନିୟମ ଲାଗ ହେବା ପରେ ୟୁଜର୍ସ ୧୦ ହଜାର ଟଙ୍କାର ଅନଲାଇନ ପେମେଣ୍ଟ କରିପାରିବେ । ଏହା ପୂର୍ବରୁ ଏହି ଲିମିଟ ୫ ହଜାର ଟଙ୍କା ଯାଏଁ ଥିଲା ।
ଶେୟାର ମାର୍କେଟ ସହ ଜଡିତ ନିୟମ
ସେନସେକ୍ସ, ସେନସେକ୍ସ ୫୦, ବ୍ୟାଙ୍କକେକ୍ସର ମାସିକିଆ ଏକ୍ସପାରିରେ ପରିବର୍ତ୍ତନ କରାଯିବ । ଏହା ଏବେ ପ୍ରତି ସପ୍ତାହ ଶୁକ୍ରବାର ନହେଁ ବରଂ ମଙ୍ଗଳବାରକୁ ହେବ । ତିନିମାସିଆ ଓ ଛଅମାସିଆ କଣ୍ଟ୍ରାକ୍ଟସର ଏକ୍ସପାରୀ ମାସର ଶେଷ ମଙ୍ଗଳବାରକୁ ହେବ । ଅନ୍ୟପଟରେ ଏନଏସଇ ଇନଡେକ୍ସରେ ନିଫଟି ୫୦ ମାସିକିଆ କଣ୍ଟ୍ରାକ୍ଟସ ପାଇଁ ଗୁରୁବାରକୁ ଚୟନ କରାଯାଇଛି ।
ଚାଷୀଙ୍କୁ ଋଣ
୧ ଜାନୁଆରୀ ୨୦୨୫ରେ ହେବାକୁ ଥିବା ଶେଷ ପରିବର୍ତ୍ତନ ଚାଷୀଙ୍କ ସହ ଜଡିତ । ବର୍ଷର ପ୍ରଥମ ଦିନରେ ଆରବିଆଇ ଦ୍ୱାରା ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ଯାଏଁ ଲୋନ ମିଳିବ । ଗତ ଦିନରେ ଆରବିଆଇ ଚାଷୀଙ୍କ ପାଇଁ ବିନା ଗ୍ୟାରେଣ୍ଟିର ଲୋନରେ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଯାହା ଫଳରେ ଏବେ ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର ନୁହେଁ ବରଂ ୨ ଲକ୍ଷ ଟଙ୍କାର ଲୋନ ପ୍ରଦାନ କରାଯିବ ।
ବର୍ଷ ଶେଷ ହେବା ପୂର୍ବରୁ ଏହି ସବୁ ନୂଆ ନିୟମ ବିଷୟରେ ଜାଣି ରଖନ୍ତୁ । କାରଣ ଏହା ଆପଣଙ୍କ ଜୀବନଶୈଳୀ ସହ ଜଡିତ ।