କନକ ବ୍ୟୁରୋ : ସାରା ରାଜ୍ୟରେ ଓଡିଆ ନବବର୍ଷର ଧୁମ । ଉତ୍ସାହର ପାଳନ କରୁଛନ୍ତି ରାଜ୍ୟବାସୀ । କିନ୍ତୁ ଇଂରାଜି ନବବର୍ଷ ପାଳନକୁ ଦେଖିଲେ ଓଡିଆ ନବବର୍ଷ ପାଳନ ବେଶ ଫିକା ଲାଗୁଛି । ଡିସେମ୍ବର ୩୧ରେ ଜିରୋନାଇଟ ସେଲିବ୍ରିସନର ଉତ୍ସାହ ଓଡିଆ ନୂଆବର୍ଷରେ ନାହିଁ । ଏପରିକି ଇଂରାଜି ନବବର୍ଷରେ ପରସ୍ପରକୁ ଅଭିନନ୍ଦନ ଜଣାଇବାର ଯେଉଁ ପରମ୍ପରା ରହିଛି, ତାହା ମଧ୍ୟ ଓଡ଼ିଆ ନବବର୍ଷରେ ଦେଖିବାକୁ ମିଳିନାହିଁ । ଓଡ଼ିଆ ନୂଆବର୍ଷରୁ ବିମୁଖ ହେବା ଅସ୍ମିତା ଉପରେ ଉଠାଇଛି ପ୍ରଶ୍ନ ।
ଆଜିର ଦିନ ଆସିଲେ ଏବଂ ଇଂରାଜି ନବବର୍ଷର ଦିନ ଆସିଲେ ସାମ୍ନାକୁ ଆସେ ଦୁଇଟି ଚିତ୍ର । ଗୋଟିଏ ଇଂରାଜି ନବବର୍ଷକୁ ସ୍ୱାଗତ କରିବାର ଦୃଶ୍ୟ । ଅନ୍ୟଟି ଆଜିର, ଅର୍ଥାତ ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନୂଆବର୍ଷ ପାଳନର । ସେହି ଦୃଶ୍ୟକୁ ଦେଖିଲେ ଫରକ ଜଳଜଳ ହୋଇ ଜଣାପଡେ । ଇଂରାଜି ନୂଆବର୍ଷକୁ ସ୍ୱାଗତ କରିବା ପାଇଁ, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଆମ ଭିତରେ ଯେଭଳି ଉତ୍ସାହ ଦେଖାଯାଉଛି, ଓଡ଼ିଆ ନୂଆବର୍ଷ କ୍ଷେତ୍ରରେ ସେଭଳି ଆଗ୍ରହ କିମ୍ବା ଉତ୍କଣ୍ଠା ନାହିଁ। ବରଂ ପଣା ଓ ମନ୍ଦିରରେ ପୂଜା ଭିତରେ ସୀମିତ ରହୁଛି ଉତ୍ସବ ପାଳନ ।
ଏକଥା ସତ ଯେ, ବିଶ୍ୱର ବିଭିନ୍ନ ଦେଶରେ ନୂଆବର୍ଷ ପାଳନରେ ଭିନ୍ନତା ମଧ୍ୟ ରହିଛି । କାରଣ କେତେକ କ୍ୟାଲେଣ୍ଡର ଚନ୍ଦ୍ରର ଗତିକୁ ଆଧାର କରି ପ୍ରସ୍ତୁତ ହେଉଥିବାବେଳେ, ଆଉ କେତେକ ସୂର୍ଯ୍ୟଙ୍କ ସ୍ଥିତି ଆଧାରରେ ପ୍ରସ୍ତୁତ ହୋଇଥାଏ । ଏପରିକି ଆମ ଦେଶରେ ବିଭିନ୍ନ ରାଜ୍ୟର ଲୋକେ ମଧ୍ୟ ଭିନ୍ନଭିନ୍ନ ଦିନରେ ନୂଆବର୍ଷ ପାଳନ କରୁଛନ୍ତି । ଏହି କ୍ରମରେ ବୈଶାଖ ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଓଡ଼ିଆ ନୂଆବର୍ଷ ଆରମ୍ଭ ହୋଇଥାଏ । ଆଜିଠାରୁ ନୂଆ ପଞ୍ଜିକା ମଧ୍ୟ ଚଳନ ହୁଏ ।
ଆଉଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଆ ଅସ୍ମିତାର କଥା କହି ନୂଆ ସରକାର କ୍ଷମତାକୁ ଆସିଥିବାରୁ, ସରକାରୀ ସ୍ତରରେ ଏଥିପାଇଁ ସଚେତନ କରିବାର ଆବଶ୍ୟକତା ଥିବା କହିଛନ୍ତି ସଂସ୍କୃତିପ୍ରେମୀ । କାରଣ ଓଡ଼ିଆ ଲୋକେ ଓଡ଼ିଆ ନୂଆବର୍ଷରୁ ବିମୁଖ ହେବା ଅସ୍ମିତା ଉପରେ ଚୋଟ ନୁହେଁ କି?