କନକ ବ୍ୟୁରୋ : ନୂଆବର୍ଷ ବିଗାଡ଼ିଲା ପର୍ଯ୍ୟଟନ ସ୍ଥଳ ପରିବେଶ । ନୂଆ ବର୍ଷ ପାଳନରେ ମସଗୁଲ ହୋଇ ପର୍ଯ୍ୟଟକ ଭୁଲି ଗଲେ ନିଜ କର୍ତ୍ତବ୍ୟ । ଭୋଜି ଭାତ ପରେ ଭୁଲିଗଲେ ସଫେଇ କାର୍ଯ୍ୟ । ଫଳରେ ପର୍ଯ୍ୟଟନ ସ୍ଥଳର ସୁସ୍ଥ ପରିବେଶ ପାଲଟିଯାଇଛି ଅସ୍ୱାସ୍ଥ୍ୟକର ପରିବେଶ । ନବରଙ୍ଗପୁର ଉମରକୋଟ ସ୍ଥିତ ଭାସ୍କେଲ ଡ୍ୟାମରେ ଦୁର୍ଗନ୍ଧରେ ଫାଟି ପଡୁଛି ନାକ ।

Advertisment

ଯେଉଁଠୁ ଆନନ୍ଦ ପାଇଲେ, ନାଚଗୀତ କରି ଭୋଜିଭାତ କଲେ, ତାକୁ ହତାଦର କଲେ । ତା' କଥା ଭୁଲିଗଲେ । ଆମେ କଥା ହେଉଛି ପର୍ଯ୍ୟଟନସ୍ଥଳ ଓ ପର୍ଯ୍ୟଟକଙ୍କ କଥା । ଚାରିଆଡ଼େ ପଡ଼ିଛି କୁଢ଼କୁଢ଼ ଆବର୍ଜନା । ଖଲି, ଜରି, ପରିବା ଚୋପା, ପଲିଥିନ ସାଙ୍ଗକୁ ମଦ ବୋତଲ ପଡ଼ିଛି । ଦୁର୍ଗନ୍ଧରେ ଫାଟିପଡୁଛି ପୁରା ପରିବେଶ । ଭଣଭଣ ହେଉଥିବା ମାଛି ମହାମାରିକୁ ନିମନ୍ତ୍ରଣ କରୁଛି । ଉମରକୋଟ ଭାସ୍କେଲ ଡ୍ୟାମ ଓ ଖଡ଼କା ନଦୀ ପଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯେଉଁ ସୁନ୍ଦର ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା, ଆଜି ସେଠି ଠିଆ ହୋଇ ହେଉନାହିଁ ।

ଉମରକୋଟ ସହର ନିକଟରେ ରହିଛି ଏହି ସ୍ଥାନଟି । ବର୍ଷକ ବାର ମାସ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ଭୋଜିଭାତର ଆସର ଜମେ । କୋଟିକୋଟି ଟଙ୍କା ବ୍ୟୟରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ନୂଆବର୍ଷ ଦିନ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ । ଭୋଜିଭାତ କରିଥିଲେ । କିନ୍ତୁ ସାଧାରଣ ସୌଜନ୍ୟତାକୁ ଭୁଲି ନିଜେ ବ୍ୟବହାର କରିଥିବା ପତ୍ର, ଜରି ଓ ବୋତଲ ଡଷ୍ଟବିନ୍‌ରେ ନପକାଇ ଚାଲିଯାଇଛନ୍ତି ।

ଡ୍ୟାମଟି ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ଅଧିନରେ ରହିଛି । ତେଣୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏହାକୁ ସଫା କରିବାର ଆବଶ୍ୟକତା ରହିଛି ।