କନକବ୍ୟୁରୋ :  ଭୟ ଦେଖାଇ ବିଭିନ୍ନ ଦେଶକୁ ଚାପଗ୍ରସ୍ତ କରି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲ କରିବାରେ ସଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନୁଆଁଇବାର ବିଫଳତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି   ।  ଭାରତ ସହ ବାଣିଜ୍ୟ ରାଜିନାମା ସଫଳ ହେଉନଥିବାରୁ ଉତ୍‌କ୍ଷୀପ୍ତ ହୋଇ ସେ ଅନେକ କଟୁ କଥା କହିବା ଆରମ୍ଭ କରିଛନ୍ତି  ।   ଭାରତ ଉପରେ ସେ ପ୍ରବଳ ଚାପ ପ୍ରୟୋଗ କରୁଛନ୍ତି  । 

Advertisment

ଏଥି ସହିତ ସେ ଏକ ଅଜବ ବାଣିଜ୍ୟ ନୀତି ଗ୍ରହଣ କରି ପାକିସ୍ତାନ ସହ ବନ୍ଧୁତା କରିଥିବା ବେଳେ ଭାରତକୁ ନିନ୍ଦା କରିବାକୁ ପଛାଇ ନାହାନ୍ତି । ଗତକାଲି ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଓ ରୁଷ୍‌ ସହ ସମ୍ପର୍କ ଥିବାରୁ ଅତିରିକ୍ତ ଜରିମାନା ଲଗାଇଥିବା ଟ୍ରମ୍ପ ଆଜି ଭାରତ ନାଁରେ କଟୁ କଥା କହିଛନ୍ତି । ରୁଷ୍‌ ସହ ଭାରତର ସମ୍ପର୍କକୁ ସେ ଆଦୌଁ ସହ୍ୟ କରିପାରୁନାହାନ୍ତି  ।

 ସେ କହିଛନ୍ତି ଯେ ରୁଷ୍‌ ସହ ଭାରତର ସମ୍ପର୍କକୁ ମୁଁ ଖାତିର କରୁନି  ।   ସେମାନେ ମିଳିତ ଭାବେ ନିଜ ମୃତ ଅର୍ଥନୀତିକୁ ରସାତଳକୁ ନେଇପାରି‌ବେ । ଭାରତ ସହ ଆମେ ଅଳ୍ପ କାରବାର କରୁଛୁ ।  ସେମାନଙ୍କ ଶୁଳ୍କ ବହୁତ ଯାହା ସାରା ବିଶ୍ବରେ ସର୍ବାଧିକ ।   ରୁଷ୍ ଓ ଆମେରିକା ଭିତରେ କିଛି ବି ବ୍ୟବସାୟ ସମ୍ପର୍କ ନାହିଁ । ରୁଷ୍‌ର ବିଫଳ ରାଷ୍ଟ୍ରପତି ମେଡ୍‌ଭେଡେବ୍ ଜାଣି ରଖନ୍ତୁ ଯେ ସେମାନେ ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ପ୍ରବେଶ କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।