କନକ ବ୍ୟୁରୋ: ରାଜ୍ୟର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ସ୍ୱର୍ଗତ ନବ ଦାସଙ୍କ ପରିବାର । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ କରିଛନ୍ତି ନବ ଦାସଙ୍କ ପତ୍ନୀ । ପୂର୍ବରୁ ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ । ପ୍ରାୟ ୨ ମାସ ତଳେ ନବ ଦାସଙ୍କ ପୁଅ ଓ ଝିଅ ସିବିଆଇ ତଦନ୍ତ ଚାହୁଁଥିବା ଗଣମାଧ୍ୟମରେ କହିଥିଲେ। ଏବେ ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ଲିଖିତ ଆବେଦନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୧୧ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଖବର ମିଳିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ଶ୍ରୀମତି ଦାସ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ।

Advertisment

ଏନେଇ ସ୍ୱର୍ଗତ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଯିବାରୁ ଆବେଦନ ପ୍ରସଙ୍ଗକୁ ସ୍ୱୀକାର କରିବା ସହ ଉଭୟ ଇ-ମେଲ ଓ ଚିଠି ପଠାଇ ସାକ୍ଷାତକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିବା ଜଣାଇଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଏହାରି ଭିତରେ ୨ ବର୍ଷ ବିତିଛି । ଏପଟେ ମାମଲାର କ୍ରାଇମବ୍ରାଞ୍ଚର ତଦନ୍ତ ସନ୍ଦେହ ପରିସରରୁ ମୁକୁଳି ପାରୁନାହିଁ । ବର୍ତ୍ତମାନର ଶାସକ ଦଳ ନେତାମାନେ ମଧ୍ୟ ସେ ସମୟରେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ଯାହାକୁ କେନ୍ଦ୍ର କରି ତଦନ୍ତକୁ ନେଇ କୌଣସି ଆପତ୍ତି ଥିଲେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବାକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ହୋଇଥିଲା । ହେଲେ ସେମାନେ ହାଜର ନ ହୋଇ ସମୟ ମାଗିଥିଲେ । ଏପରିକି ସିବିଆଇ ତଦନ୍ତ ଦାବି ଚାହୁଁଥିବା ଦୀପାଳି ଓ ବିଶାଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ହେଲେ ଆବେଦନ ପାଇଁ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ସମାଲୋଚନା ହେଉଛି । ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇମେଲ ଓ ଚିଠି ଯୋଗେ ସମୟ ମାଗିବା ପରେ ନବ ଦାସ ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଫେରିଛି ।