Delhi blast Photograph: (Kanak news)
କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ କାର୍ ବିସ୍ଫୋରଣର ତଦନ୍ତରେ ବଡ଼ ସଫଳତା ମିଳିଛି । ଗତ ଚାରି ବର୍ଷ ଧରି ସକ୍ରିୟ ଥିବା ଏକ ସଂଗଠିତ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍ ହୋଇଛି । ଏହି ମଡ୍ୟୁଲ୍ ପକ୍ଷରୁ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଷଡ୍ଯନ୍ତ୍ର ରଚାଯାଇଥିଲା । ତଦନ୍ତ ସମୟରେ ଧରାପଡ଼ିଥିବା ଡାକ୍ତରମାନଙ୍କର ଏହି ହ୍ବାଇଟ୍ କୋଲର ମଡ୍ୟୁଲ୍ ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ତଦନ୍ତ ସୂଚାଇ ଦେଉଛି ଯେ, ଏହା ଏକ ସାଧାରଣ ଘଟଣା ନୁହେଁ । ଚାରି ବର୍ଷ ଧରି ସକ୍ରିୟ ଥିବା ମଡ୍ୟୁଲ୍ର ଏହା ଏକ ସୁଚିନ୍ତିତ କାର୍ଯ୍ୟର ଅଂଶ ଥିଲା ।
ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍କୁ ଟାର୍ଗେଟ
ତଦନ୍ତରୁ ଜଣାପଡିଛି, ଗିରଫ ଅଭିଯୁକ୍ତଙ୍କ ମଡ୍ୟୁଲ୍ ଦିଲ୍ଲୀ ଓ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ।
ଅଧିକ ପଢ଼ନ୍ତୁ---କେଦାରନାଥରେ ମୋବାଇଲ୍ ମନା: ମନ୍ଦିର ପରିସରରେ ରିଲ୍ସ କଲେ ଦେବାକୁ ପଡ଼ିବ ଜରିମାନା
ପାକିସ୍ତାନୀ ହ୍ୟାଣ୍ଡଲର୍ଙ୍କ ସହ ଯୋଗାଯୋଗ ପାଇଁ ଭୂତ ସିମ୍ କାର୍ଡ-ଏନକ୍ରିପ୍ଟେଡ୍ ଆପ୍ସ
ଜାନୁଆରି ୪ ତାରିଖରେ ପୂର୍ବରୁ ଅଧିକାରୀମାନେ କହିଥିଲେ ଯେ, ଡାକ୍ତର ମୁଜାମ୍ମିଲ୍ ଗନାଇ, ଆଦିଲ୍ ରାଥର ଓ ଅନ୍ୟମାନଙ୍କ ସମେତ ମଡ୍ୟୁଲ୍ର ହ୍ୱାଇଟ୍-କୋଲର ସଦସ୍ୟମାନେ ପାକିସ୍ତାନୀ ହ୍ୟାଣ୍ଡଲର୍ଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ଭୂତ ସିମ୍ କାର୍ଡ ଓ ଏନକ୍ରିପ୍ଟେଡ୍ ଆପ୍ସର ବ୍ୟବହାର କରିଥିଲେ । ସେମାନେ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବିଭ୍ରାନ୍ତ କରିବା ପାଇଁ ସାଧାରଣ ବ୍ୟବହାର ଓ ଗୁପ୍ତ ଯୋଗାଯୋଗ ପାଇଁ ପୃଥକ ପୃଥକ ଡିଭାଇସ୍ ଦ୍ବାରା ଡୁଆଲ୍-ଫୋନ୍ ପଦ୍ଧତି ଆପଣେଇଥିଲେ ।
ଡଟ୍ ଜାରି କରିଥିଲା ନିର୍ଦ୍ଦେଶ
ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଦୂରସଂଚାର ବିଭାଗ(ଡଟ୍) ଦ୍ୱାରା ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗତ ବର୍ଷ ନଭେମ୍ବର ୨୮ ତାରିଖରେ ଡଟ୍ ଏକ ନିର୍ଦ୍ଦେଶ ଜାରି କରିଥିଲା ​​ଯେ, ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସିଗନାଲ ଭଳି ଆପ୍ଗୁଡ଼ିକୁ ଡିଭାଇସ୍ରେ ଏକ ସକ୍ରିୟ ସିମ୍ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ । ଅଭିଯୁକ୍ତମାନେ ନିଜ ନିଜ ମଧ୍ୟରେ ଯୋଗାଯୋଗ ପାଇଁ ଯେଉଁ ପ୍ରକାରର ପ୍ରଣାଳୀ ବ୍ୟବହାର କରୁଥିଲେ ତାହାକୁ ବନ୍ଦ କରିବା ପାଇଁ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା ।
ହ୍ୱାଇଟ୍ କୋଲର ମଡ୍ୟୁଲ୍ ଚାରି ବର୍ଷ ଧରି ସକ୍ରିୟ ଥିଲା
ଗିରଫ ହୋଇଥିବା ତିନି ଜଣ ଡାକ୍ତରଙ୍କୁ ପଚରାଉଚରା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ରହସ୍ୟ ଉନ୍ମୋଚନ ହୋଇଛି । ମଡ୍ୟୁଲ୍ଚାରି ବର୍ଷ ଧରି ଗୁପ୍ତ ଭାବରେ ସକ୍ରିୟ ରହି ନିଜର ଏଜେଣ୍ଡାକୁ ଆଗକୁ ନେଉଥିଲା । ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ମଡ୍ୟୁଲ୍ ଦିଲ୍ଲୀ ସମେତ ପ୍ରମୁଖ ଭାରତୀୟ ସହରଗୁଡ଼ିକରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲା ।
ଜୈଶ୍ ସହ ଲାଲକିଲ୍ଲା ବିସ୍ଫୋରଣ ଲିଙ୍କ୍
ଜୈଶ୍-ଏ-ମହମ୍ମଦ ଭଳି ସଂଗଠନ ସହିତ ମଡ୍ୟୁଲର ଲିଙ୍କ୍ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଲାଲକିଲ୍ଲା କାର ବିସ୍ଫୋରଣ ଜେଶର ଯୋଜନାର ଏକ ଅଂଶ ଥିଲା । ଅକ୍ଟୋବର ୨୦୨୫ରେ ମିଳିଥିବା ସୂଚନା ପରେ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ହୋଇଥିବା ଚଢ଼ଉ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା । ଏହା ଦ୍ବାରା ମଡ୍ୟୁଲ୍ର ଷଡ୍ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା ।
ପୁଲିସର ସତର୍କତା ଯୋଗୁ ବହୁ ଆକ୍ରମଣ ଯୋଜନା ପଣ୍ଡ
ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ପୁଲିସର ସମୟୋଚିତ ସୂଚନା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ନଭେମ୍ବର-ଡିସେମ୍ବରରେ ଦିଲ୍ଲୀ, ଉତ୍ତର ପ୍ରଦେଶ ତଥା ହରିୟାଣାରେ ହେବାକୁ ଥିବା ଅନେକ ସମ୍ଭାବ୍ୟ ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା ।
୨,୯୦୦କିଲୋ ବିସ୍ଫୋରକ ଜବତ
ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଜାଣିବାକୁ ପାଇଥିଲେ ଯେ, ମଡ୍ୟୁଲ୍ ଡାକ୍ତରୀ ପେଶାଦାର ଓ ଛାତ୍ରମାନଙ୍କ ଭଳି ହ୍ୱାଇଟ୍ କୋଲର ଆତଙ୍କବାଦୀ ଦଳକୁ ନେଇ ଗଠିତ ଥିଲା । ଏହି ମଡ୍ୟୁଲ୍ ଫରିଦାବାଦ ସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ ବିସ୍ଫୋରକ ସଂଗ୍ରହ ଓ ଆଇଇଡି ତିଆରି କରିବା ପାଇଁ ବ୍ୟବହାର କରିଥିଲା । ପ୍ରାୟ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା । କିଛି ସଦସ୍ୟ ମଧ୍ୟ ତାଲିମ୍ ପାଇଥିଲେ। ସେମାନଙ୍କର ତୁର୍କୀରେ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିବା ତଦନ୍ତରୁ ଜଣାପଡ଼ିଥିଲା ।
Follow Us