Bus Photograph: (KanakNews)
କନକ ବ୍ୟୁରୋ; ଲକ୍ଷ ଲକ୍ଷ ଟଙ୍କାର ଫାଇନ୍ ଫାଙ୍କିବାକୁ ଅଭିନବ ଫଣ୍ଡା । ଜରିମାନା ଥିବା ଗାଡ଼ି ନମ୍ବର ପ୍ଲେଟ୍ କାଢ଼ି ଜରିମାନା ନଥିବା ନମ୍ବର ପ୍ଲେଟ୍ ଲଗାଉଛନ୍ତି ଗାଡ଼ି ମାଲିକ । କଟକରୁ ଏ ଘଟଣା ସାମ୍ନାକୁ ଆସିବା ପରେ ପରିବହନ ବିଭାଗର ବଢ଼ିଛି ମୁଣ୍ଡବିନ୍ଧା । ବସ୍ରେ ଲାଗିଥିବା ନମ୍ୱର OD-11 U 1917 । ଏ ନମ୍ୱର କିନ୍ତୁ ଅସଲି ନୁହେଁ, ନକଲି । ଇଞ୍ଜିନ ଏବଂ ଚେସିସ୍ ଯାଞ୍ଚ ପରେ ଏହା ଜଣାପଡ଼ିଛି । ଫାଇନ୍ ଫାଙ୍କିବା ଅଭିଯୋଗରେ ବସ୍ ଜବତ କରିଛି ପରିବହନ ବିଭାଗ । ବସ୍ର ପ୍ରକୃତ ନମ୍ବର OD 05 AC 5256। ବସ୍ ନାଁରେ ପୂର୍ବରୁ ଗଡ଼ୁଛି ୫ ଲକ୍ଷ ୧୦ ହଜାର ଟଙ୍କାର ଫାଇନ୍। ଆଉ ସେହି ଫାଇନ୍ ଟାଳିବାକୁ ଏଭଳି ଜାଲିଆତି କରିଥିଲେ ବସ୍ ମାଲିକ ।
ଅଧିକ ପଢନ୍ତୁ; ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ ହାଇକୋର୍ଟରେ ମାମଲା : ଅନ୍ ଲାଇନ ଓ ଅଫ୍ ଲାଇନରେ ବୁକିଂ ପାଇଁ ଅନୁରୋଧ
ଫିଟନେସ, ପରମିଟ୍, ପ୍ରଦୂଷଣ ବାବଦକୁ ପୂର୍ବରୁ ବସ୍କୁ ହୋଇଥିଲା ମୋଟା ଅଙ୍କର ଜରିମାନା । ଯାହାକୁ ପୈଠ କରିନଥିଲେ ବସ୍ ମାଲିକ । ବରଂ ଜରିମାନା ନଥିବା ନିଜର ଅନ୍ୟ ଏକ ଏସି ବସ୍ର ନମ୍ବର ପ୍ଲେଟ୍ ଲଗାଇଥିଲେ ଫାଇନ୍ ପଡ଼ିଥିବା ବସ୍ରେ। ଦୀର୍ଘ ଦିନରୁ ଫାଙ୍କି ଆସୁଥିଲେ ଫାଇନ୍। ବସ୍ଟି ପର୍ଯ୍ୟଟକଙ୍କୁ ନେଇ ପିକନିକ୍ ଆସିଥିବା ବେଳେ ଗୋଡିସାହି ନିକଟରେ ଚେକିଂ ବେଳେ ଧରାପଡ଼ିଯାଇଛି । ଏ ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ପ୍ରକ୍ରିୟା କଡ଼ା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆର୍ଟିଓ । ରାଜ୍ୟରେ ଆଉ କେତେ ବସ୍ ଏମିତି ଜାଲିଆତି କରି ଫାଇନ୍ ଠକୁଛନ୍ତି? ଜୋରଦାର ଧରପଗଡ଼ ହେଲେ ସାମ୍ନାକୁ ଆସିବ ସତ ।
Follow Us