କନକ ବ୍ୟୁରୋ: ଟେନସନ ବଢାଉଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ। ପ୍ରତିଦିନ ସାଇବର ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକ। ଏଥିପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ଚିନ୍ତିତ । ନିକଟରେ ଏହି ସାଇବର ଲୁଟେରାଙ୍କ ଉତ୍ପାତ କମାଇବା ପାଇଁ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀରେ ଆଲୋଚନା ହୋଇଥିଲା ଆଉ ସ୍ଥିତି ଏତେ ସଙ୍ଗୀନ ଯେ, ସାଇବର ସଚେତନତା ସୃଷ୍ଟି କରିବା ପାଇଁ ସରକାର ଆକ୍ସନ ମୋଡରେ ।
- ବଦଳିଗଲା ଟେଲିଫୋନ କଲରଟ୍ୟୁନ୍
- ମ୍ୟୁଜିକ୍ ନୁହେଁ, ଶୁଭୁଛି ସଚେତନତା ସ୍ୱର
ଆରମ୍ଭ ହୋଇଛି ସାଇବର ସଚେତନତା। ଏକଥା ଆଉ କେହି ନୁହେଁ, କେନ୍ଦ୍ର ସରକାର ଟେଲିକମ୍ ମନ୍ତ୍ରାଳୟକୁ ବ୍ୟବହାର କରି ପ୍ରତି ଲୋକଙ୍କୁ ସାଇବର ଠକଙ୍କ ଠାରୁ ଦୂରେଇ ରହିବା ଲାଗି ପ୍ରବର୍ତାଉଛନ୍ତି। କହୁଛନ୍ତି, ସାବଧାନ ରୁହନ୍ତୁ, ଯଦି ଆପଣଙ୍କୁ ସବିଆଇ କିମ୍ୱା କଷ୍ଟମ ନମ୍ୱର କିମ୍ୱା ଅଜ୍ଞାତ ନମ୍ୱରରୁ କିଛି ଭିଡିଓ କଲ ଆସୁଛି, ତା ହେଲେ ସେମାନେ ସାଇବର ଅପରାଧୀ ହୋଇପାରନ୍ତି। ଆପଣ ତୁରନ୍ତ ଭୟ ନ କରି ୯୦୦୦ କଲ କରନ୍ତୁ, ଗୃହ ମନ୍ତ୍ରାଳୟ ଦ୍ୱାରା ଏହି ନମ୍ୱର ଦିଆଯାଇଛି। ଏଇ ସଚେତନତା ବାର୍ତ୍ତା ସୂଚାଇ ଦେଉଛି ସାଇବର ଠକଙ୍କ ଦୌରାତ୍ମ୍ୟକୁ କେତେ ଗୁରୁତର ସହ ନେଉଛନ୍ତି କେନ୍ଦ୍ର ସରକାର।
ସାଇବର ଅପରାଧରେ ଅଲୋଡା ରେକର୍ଡ, ଓଡ଼ିଶା ପଡ଼ୋଶୀଙ୍କୁ ପଛରେ ପକାଇ ଏବେ ଆଗରେ , ଯାହା ବେଶ ଚିନ୍ତାଜନକ, ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ କହୁଛି ୩ ବର୍ଷରେ ୧୨୫ କୋଟି ଲୁଟିଛନ୍ତି ସାଇବର ଲୁଟେରା, ୩ ବର୍ଷରେ ଥାନାରେ ରୁଜୁ ହୋଇଛି ୬୩୬୮ଟି ସାଇବର ମାମଲା। ଅନ୍ୟପଟେ କ୍ରାଇମ କୋର୍ଡିନେସନ ସେଣ୍ଟରର ତଥ୍ୟ କହୁଛି ୨୦୨୪ ମସିହା ଜାନୁଆରି ମାସରୁ ସେପଟେମ୍ୱର ଶେଷ ସୁଦ୍ଧା ସାରା ଦେଶରୁ ୧୧ ହଜାର କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା। ବଢ଼ୁଥିବା ସାଇବର ଅପରାଧ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ।
ସାଇବର ଠକମାନେ ଏବେ ସାରା ଦେଶର ପୋଲିସର ନିଦ ହଜାଇଦେଉଛନ୍ତି, ଡିଜିପି ସମ୍ମିଳନୀରେ ଏହାର ଭୟାବହତାକୁ ନେଇ ଆଲୋଚନା ବି ହେଲା ଏବେ ଦେଖିବାର କଥା ନୂଆ ନୂଆ ତରିକା ଆପଣାଉଥିବା ସାଇବର ସଇତାନକୁ କେମିତି ସାବାଡ କରିବ ପୋଲିସ।