କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି ଅନଲାଇନ୍ ମନି ଗେମିଂ । ଯୁବପିଢିଠୁ ନେଇ ଛୋଟ ପିଲାମାନେ ମଧ୍ୟ ଏହି ଜାଲ ଭିତରେ ଛନ୍ଦି ହୋଇଯାଉଛନ୍ତି । ଅତ୍ୟାଧିକ ମାତ୍ରାରେ ଅନଲାଇନ୍ ଗେମ୍ ଫାଶରେ ପଡ଼ି ପ୍ରାୟ ଲୋକମାନେ ଠକାମିରେ ପଡୁଥିବା ଖବର ସାମ୍ନାକୁ ଆସୁଛି । ଘରେ ବସି ରାତାରାତି ଅଧିକ ଟଙ୍କା ରୋଜଗାର କରିବାର ନିଶା ଯୁବପିଢ଼ିମାନଙ୍କୁ ଏହି ମନି ଗେମିଂ ଭିତରକୁ ଟାଣିନେଉଛି । କିନ୍ତୁ ବର୍ତ୍ତମାନ ଏଥିପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ସରକାର ।
ଏଣିକି ଅନଲାଇନ୍ ମନି ଗେମ୍ରେ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ବଢ଼ିଲା ଅଡୁଆ । କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ପାଇଁ ନୂଆ ନିୟମ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି । ଆଗକୁ ଯେ କେହି ବି ନିୟମ ଭାଙ୍ଗିବ ତାହା ଅଣ-ଜାମିନଯୋଗ୍ୟ ଅପରାଧ ହେବ । ଏହାର ଅର୍ଥ ହେଉଛି, ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତେବେ ପୁଲିସ୍ ବିନା ୱାରେଣ୍ଟରେ ଅପରାଧୀଙ୍କୁ ଖୋଜି ବାହାର କରିବା ସହ ଗିରଫ କରିବ । ଖାଲି ସେତିକି ନୁହେଁ ଯଦି କୌଣସି ଅନଲାଇନ୍ ମନି ଗେମ୍ କମ୍ପାନି ନିୟମ ଉଲ୍ଲଂଘନ କରେ, ତେବେ କେବଳ କମ୍ପାନି ନୁହେଁ, ବରଂ ତା'ର ସମସ୍ତ କର୍ମଚାରୀ ମଧ୍ୟ ଦାୟୀ ରହିବେ।
ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକରେ ବଢ଼ୁଥିବା ଅନୈତିକ କାର୍ଯ୍ୟକଳାପକୁ ରୋକିବା ଏବଂ ଖେଳାଳିମାନଙ୍କୁ ସୁରକ୍ଷା ଯୋଗାଇବା । ବର୍ତ୍ତମାନ ସୁଦ୍ଧା ଅନେକ ଅନଲାଇନ୍ ଗେମ୍ରେ ଠକାମି, ଟଙ୍କା ହେରଫେର , ଆତ୍ମହତ୍ୟା ଏବଂ ନିଶା ପ୍ରଭାବ ଭଳି ଅନେକ ଅଭିଯୋଗ ଆସିଛି । ସରକାରଙ୍କ ଏହି ପଦକ୍ଷେପ ଏସବୁ କାର୍ଯ୍ୟକଳାପ ଉପରେ ରୋକ ଲଗାଇବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ସରକାର ତରଫରୁ ଗତକାଲି ଜାରି କରାଯାଇଥିବା ପ୍ରସ୍ତାବିତ ନିୟମ ଅନୁଯାୟୀ, ଯଦି କୌଣସି ଅନଲାଇନ୍ ଗେମ୍ କମ୍ପାନି ଭାରତୀୟ ଆଇନ ଅନୁଯାୟୀ ପଞ୍ଜୀକୃତ ନ ହୋଇ କାର୍ଯ୍ୟ କରେ କିମ୍ବା ଖେଳାଳିଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କରେ, ତେବେ ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମ୍ପାନିର ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଏହି ନିୟମର ପରିସରଭୁକ୍ତ ହେବେ । ଏହି ନିୟମର ଲକ୍ଷ୍ୟ ହେଉଛି ଅନଲାଇନ୍ ଗେମିଂ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ନିରାପତ୍ତା ବଢ଼ାଇବା । ଯାହାଫଳରେ ଖେଳାଳିମାନଙ୍କୁ ସୁରକ୍ଷା ମିଳିପାରିବ ଏବଂ ଅନୈତିକ କାର୍ଯ୍ୟକଳାପ ଉପରେ ରୋକ ଲାଗିପାରିବ। ଏହାସହ ଅନଲାଇନ୍ ଗେମିଂ କମ୍ପାନିମାନଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ବାଧ୍ୟ କରିବ।
ତେବେ ଏହି ନୂଆ ନିୟମ ଅନଲାଇନ୍ ଗେମିଂ ଶିଳ୍ପରେ ଏକ ବଡ଼ ପରିବର୍ତ୍ତନ ଆଣିବ ଆଣିପାରେ । ଏହାଦ୍ୱାରା ଅନଲାଇନ୍ ଗେମ୍ର ସ୍ୱଚ୍ଛତା ବଢ଼ିବ ଏବଂ ଖେଳାଳିମାନଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇବ । ସରକାରଙ୍କ ଏହି ପଦକ୍ଷେପ ଡିଜିଟାଲ୍ ଇଣ୍ଡିଆରେ ଏକ ସୁରକ୍ଷିତ ତଥା ନିରପେକ୍ଷ ଗେମିଂ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/05/62-2025-10-05-09-26-54.jpg)