କନକ ବ୍ୟୁରୋ : ଟଙ୍କା ଠକେଇର ନୂଆ ତରିକା । ଠକଙ୍କ ଟାର୍ଗେଟ୍‌ରେ ଗ୍ରାମାଞ୍ଚଳର ଖଟିଖିଆ, ପଶୁ ପାଳକ ଓ ମହିଳା । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ଯୋଜନାର ଆଳ ଦେଖାଇ ୩୫୦ ଜଣଙ୍କଠାରୁ ଲୁଟି ନେଇଛନ୍ତି ଲକ୍ଷଲକ୍ଷ ଟଙ୍କା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି । ସଶକ୍ତ ଓଡ଼ିଶା ନାମରେ ଲୋକଙ୍କୁ ଲୁଟୁଥିବା ଅଭିଯୁକ୍ତ ବିଜୟ କୁମାର ପ୍ରଧାନଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । 

Advertisment

ମହିଳାଙ୍କୁ ଚାକିରି ଦେବା ଆଳରେ ଜୀବନ ଜୀବିକା ସହ ଖେଳୁଥିଲେ ଅଭିଯୁକ୍ତ । କେବଳ କୋଇଡ଼ା ନୁହେଁ ସମଗ୍ର ରାଜ୍ୟରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ସୂଚନା ଅନୁସାରେ, ଗତ ୮ ତାରିଖରେ କୋଇଡ଼ା ଅଞ୍ଚଳରେ ଗୋ-ପାଳକଙ୍କୁ ୫ ଲକ୍ଷ ଟଙ୍କାର ଋଣ କରେଇ ଦେବାକୁ କହି ନକଲି ଫର୍ମ ଦେବା ସହ ୭ଶହ ଟଙ୍କା ନେଇଥିଲେ । କାମଧେନୁ ଯୋଜନା ଜରିଆରେ ଅଗଷ୍ଟ ମାସରେ ୫ ଲକ୍ଷ ଟଙ୍କାର ଋଣ ମିଳବ, ୨ ଲକ୍ଷର ସରକାରୀ ସବସିଡି ମିଳିବ କହିଥିଲେ ଅଭିଯୁକ୍ତ ବିଜୟ ପ୍ରଧାନ । ଏକଥା ଜଣାପଡ଼ିବା ପରେ ସଂପୃକ୍ତ ଅଞ୍ଚଳର ଆଉ ଜଣେ ଚାଷୀ ଏବାବଦରେ ଜାଣିବା ପାଇଁ କୋଇଡା ପଶୁ ଅଧିକାରୀ ଡାକ୍ତର ସୁଜିତ ବେହେରାଙ୍କୁ ପଚାରିଥିଲେ । ଏହାପରେ ଠକେଇ ବାବଦରେ ଜଣାପଡ଼ିଥିଲା ।

ନିଜେ ପଶୁ ଅଧିକାରୀ ଚାଷୀ ହୋଇ ତାଙ୍କ ଠାରୁ ସବୁ କଥା ଆଦାୟ କରିଥିଲେ । ପରେ ବ୍ଲକ ଭେଟେନାରୀ ଅଫିସର ଏନେଇ କୋଇଡ଼ା ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତଦନ୍ତ କରୁକରୁ କୋଇଡା ପୁଲିସ୍ ମିଳିଥିଲା ସାଙ୍ଘାତିକ ତଥ୍ୟ । କୋଇଡାରୁ ୩୫୦ରୁ ଅଧିକ ଲୋକ ଏହି ଠକେଇର ଶିକାର ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାର ସବୁ ବ୍ଲକ୍, ପଞ୍ଚାୟତରେ ଏହି କାରବାର ଚାଲିଛି । ଏହାର ଚେର ସାରା ରାଜ୍ୟକୁ ଲମ୍ବିଛି । ସଶକ୍ତ ଓଡିଶା ନାମରେ ମିଛ ୱେବସାଇଟ୍, ଯୋଜନା ଦେଖାଇ ୭୦୦୦ ଦରମା ଦେବାକୁ କହି ଗାଁରୁ ମହିଳାଙ୍କୁ ଭୁବନେଶ୍ୱରରେ ମିଛ ଟ୍ରେନିଂ ଦେଉଥିଲେ । ନକଲି ସାର୍ଟିଫିକେଟ୍ ଓ ଆଇଡି କାର୍ଡ ଦେଉଥିଲେ । ଏକଥା ଜଣାପଡ଼ିବା ପରେ କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱର ଯାଇ ମୁଖ୍ୟ ଅଭିଯୁକ୍ତ ବିଜୟ ପ୍ରଧାନଙ୍କୁ ଗିରଫ କରିଛି ।