କନକ ବ୍ୟୁରୋ: ନୂଆ ମାସରେ ଆସିବ ନୂଆ ନିୟମ । ନଜାଣିଲେ ସମସ୍ୟାରେ ପଡ଼ିପାରନ୍ତି ସାଧାରଣ ଲୋକେ । ବିଶେଷ କରି ବ୍ୟାଙ୍କ ନିୟମ ଓ ଏଟିଏମ୍ରୁ ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହା ସହିତ ଗ୍ୟାସ୍ ଓ ପେଟ୍ରୋଲ ଦରରେ ବି ପରିବର୍ତ୍ତନ ହୋଇପାରେ । ଏହି ସବୁ ନିୟମ ବିଷୟରେ ଜାଣିବା ନିହାତି ଦରକାର, ନହେଲେ ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି ସାଧରଣ ଲୋକେ ।
ପ୍ରତି ଟ୍ରାଞ୍ଜାକ୍ସନ୍ରେ ଲାଗିବ ଚାର୍ଜ
ମେ ୧ ତାରିଖରୁ ଏଟିଏମ୍କୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଚାର୍ଜ । ଏହାଦ୍ୱାରା ବିଶେଷ କରି କ୍ୟାସ୍ ଟ୍ରାଞ୍ଜାକ୍ସନ୍ କରୁଥିବା ଗ୍ରାହକମାନେ ପ୍ରଭାବିତ ହେବେ । ପ୍ରତିଟି କ୍ୟାସ୍ ଟ୍ରାଞ୍ଜାକ୍ସନ ପାଇଁ ଦୁଇ ଟଙ୍କା ଚାର୍ଜ ଦେବାକୁ ହେବ । ନନ୍ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍ ଯେପରି, ବାଲାନ୍ସ ଚେକ୍ କରିବା, ମିନି ଷ୍ଟେଟ୍ମେଣ୍ଟ୍ ବାହାର କରିବା ଓ ଏଟିଏମ୍ ପିନ୍ ଚେଞ୍ଜ୍ କରିବା ପାଇଁ ଏକ ଟଙ୍କା ଚାର୍ଜ ଦେବାକୁ ହେବ । ତେବେ ଏଥିପାଇଁ ବିଶେଷ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଫ୍ରି‘ ଟ୍ରାଞ୍ଜାକ୍ସନ୍ ଲିମିଟ୍ ପାର୍ କରିବା ପରେ ହିଁ ଏହି ଚାର୍ଜ୍ ଦେବାକୁ ହେବ ।
ଗ୍ରାହକ ଏହି ଟ୍ରାଞ୍ଜାକ୍ସନ ଫିସ୍ ଦେବାରୁ କିପରି ବର୍ତ୍ତିବେ ? କ୍ୟାସ୍ ଟ୍ରାଞ୍ଜାକ୍ସନ୍ ବଦଳରେ ୟୁପିଆଇ ପେମେଣ୍ଟ୍, ୱାଲେଟ୍ ବାଲାନ୍ସ କିମ୍ବା ନେଟ୍ ବ୍ୟାଙ୍କିଂ କରିପାରିବେ । କ୍ୟାସ୍ ଟ୍ରାଞ୍ଜାକ୍ସନ ବେଳେ ଅଧିକ ଟଙ୍କା ଉଠାଇ ପାରିବେ ଗ୍ରାହକ । ପ୍ରତ୍ୟେକ ବ୍ୟାଙ୍କ ଫ୍ରି' ଟ୍ରାଞ୍ଜାକ୍ସନ ଲିମିଟ୍ ଅଲଗା ରହିଛି । ତାହାରି ଉପରେ ନଜର ରଖିବାକୁ ହେବ ।
ବ୍ୟାଙ୍କରେ ରଖିବାକୁ ହେବ ମିନିମମ୍ ବାଲାନ୍ସ
ଆକାଉଣ୍ଟ୍ର ଭେରାଇଟି ମୁତାବକ ମିନିମମ୍ ବାଲାନ୍ସ ନିୟମ ଅଲଗା ରହିଥାଏ । ୟେସ୍ ବ୍ୟାଙ୍କର ୱେବ୍ସାଇଟ୍ର ରିପୋର୍ଟ ମୁତାବକ ଏହାରେ ପ୍ରୋ ମ୍ୟାକ୍ସ ଆକାଉଣ୍ଟ୍ରେ ଏଣିକି ଅତିକମ୍ରେ ୫୦ ହଜାର ଟଙ୍କା ବାଲାନ୍ସ ରଖିବାକୁ ହେବ । ସେହିଭଳି ସେଭିଂ ଆକାଉଣ୍ଟ୍ ପ୍ରୋ ପ୍ଲସ୍ରେ ଅତିକମ୍ରେ ୨୫ ହଜାର ଟଙ୍କା ବାଲାନ୍ସ ରଖିବାକୁ ହେବ । ତାହା ନହେଲେ ଗ୍ରାହକଙ୍କୁ ମିନିମମ୍ ବାଲାନ୍ସ ପାଇଁ ଚାର୍ଜ ଦେବାକୁ ହେବ । ସାଧାରଣ ସେଭିଂ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଅତିକମରେ ୧୦ ହଜାର ଟଙ୍କା ବାଲାନ୍ସ ରଖିବାକୁ ହେବ । ତାହା ନହେଲେ ଆକାଉଣ୍ଟ୍ରୁ ଫାଇନ କାଟିବ ୟେସ୍ ବ୍ୟାଙ୍କ୍ ।
ବଢ଼ିବ LPG ଦର !
ପ୍ରତ୍ୟେକ ମାସର ଏକ ତାରିଖରେ ରନ୍ଧନ ଗ୍ୟାସ୍ ଦରରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲିୟମ ମାର୍କେଟିଂ କମ୍ପାନି ପ୍ରତି ମାସ ପହିଲାରୁ ରନ୍ଧନ ଓ ଇନ୍ଧନ ଗ୍ୟାସ ଦର ସ୍ଥିର କରିଥାଏ । ଏହି କ୍ରମରେ ଏଲ୍ପିଜି, ସିଏନ୍ଜି ଓ ପିଏନ୍ଜି ଦାମ୍ ସ୍ଥିର କରାଯାଇଥାଏ । ଏଣୁ ୧୪ କେଜି ଘରୋଇ ଗ୍ୟାସ୍ ଓ ୧୯ କେଜି କମର୍ସିଆଲ ଗ୍ୟାସ ଦର କେତେ ପରିବର୍ତ୍ତନ ହେବ ତାହାରି ଉପରେ ନଜର ରହିବ ।
ପେଟ୍ରୋଲ ଦର କମିବ ନା ବଢ଼ିବ ?
ପେଟ୍ରୋଲିୟମ ମାର୍କେଟିଂ କମ୍ପାନିଗୁଡ଼ିକ ପ୍ରତ୍ୟେକ ମାସ ୧ ତାରିଖରେ ଗ୍ୟାସ୍ ଦର ସହ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର କରିଥାଆନ୍ତି । ତେଣୁ ପେଟ୍ରୋଲ ଦରରେ ମଧ୍ୟ ଲୋକେ ବଡ଼ ପରିବର୍ତ୍ତନ ଦେଖି ପାରନ୍ତି ।