କନକ ବ୍ୟୁରୋ: ଜୁଲାଇରେ ହେବ ଜନଗଣନା । ଏଣୁ ସରକାରଙ୍କ ଡେଡ୍ଲାଇନ୍ ପରେ ଗଠନ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ । ଏହାପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡ଼ିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏଥିପାଇଁ ୧୦୦୦ ଆବେଦନରୁ ୩୦୦ଟି ରାଜସ୍ୱ ଗାଁ ହୋଇ ସାରିଲେଣି । ମୋଡାଲିଟି ଅନୁସାରେ ଯେଉଁ ପଡ଼ା ଓ ଗାଁରେ ୨୫୦ ଲୋକ ଥିବେ ଓ ତାହା ମୂଳ ଗାଁରୁ ୫୦୦ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ । ନଗର ଉନ୍ନୟନ ବିଭାଗ ପାଖରେ ଅନେକ NAC ଓ ମ୍ୟୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି । ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିବ ନାହିଁ କହିଛନ୍ତି ସୁରେଶ ପୂଜାରୀ । ତେଣୁ ଜୁନ୍ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ନେଇ ଆମ ସକରାତ୍ମକ ରହିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ସେପଟେ ସୀମା ପୁନର୍ଗଠନକୁ ନେଇ ସନ୍ଦେହରେ ରହିଛି ବିଜେଡି । ପ୍ରମିଳା ମଲ୍ଲିକ କହିଛନ୍ତି ସୀମା ପୁନର୍ଗଠନ ଲୋକଙ୍କ ପାଇଁ ଏହା ଏକ ପ୍ରହେଳିକା । ବିଜେଡି ରାଜ୍ୟ ପାଇଁ ଭଲ ହେଲେ ସମର୍ଥନ କରିବ । ଅସୁବିଧା ହେଲେ ଏହାକୁ ବିରୋଧ କରାଯିବ । ରାଜ୍ୟର ସ୍ୱାର୍ଥ ବିଜେଡିର ଦାବି । ରାଜ୍ୟରେ ସିଟ୍ କମିଲେ ରାଜ୍ୟର କ୍ଷତି ହେବ । ସୀମା ପୁନର୍ଗଠନରେ ଆମର କୌଣସି ସମସ୍ୟା ନାହିଁ । ହେଲେ ଏହା ରାଜନୈତିକ ସ୍ୱାର୍ଥରେ ନ ହେଉ । ଏବେ ବିଜେପି ସରକାରରେ ଅଛି । ଯଦି ବିଜେଡି ସମୟରେ ନୂଆ ପଞ୍ଚାୟତ ବ୍ଲକ, ରାଜସ୍ୱ ଗ୍ରାମ ହୋଇ ନଥିଲା ତାହାଲେ ସେମାନେ ଏବେ କରନ୍ତୁ । ସରକାରଙ୍କୁ କେହି ବାଧା ଦେଉ ନାହାନ୍ତି । ପଞ୍ଚାୟତ ନିର୍ବାଚନ ଓ ଦଳୀୟ ସ୍ୱାର୍ଥକୁ ଦେଖି ସେମାନେ କାମ କରୁଛନ୍ତି । ଆମେ ଯାହା କରିଥିଲୁ, ତାର ନାଁ ଓ ରୂପ ବଦଳାଇଛନ୍ତି । ନୂଆ NAC ଗଠନ କରି ପାରୁ ନାହାନ୍ତି। ନୂଆ ସରକାର ଗୋଟିଏ ଇଞ୍ଚ୍ ରାସ୍ତା ତିଆରି କରି ନାହାନ୍ତି । ୧୧ ମାସରେ ବିଜେପି ସରକାର କିଛି କରି ନାହାନ୍ତି ବୋଲି କହିଛନ୍ତି ପ୍ରମିଳ ମଲ୍ଲିକ ।