କନକ ବ୍ୟୁରୋ : ବହୁ ଆଡ଼ମ୍ୱରେ ଲଘୁକ୍ରିୟା । ସମ୍ୱଲପୁର ଗୋଲ୍ ବଜାରର ଅବସ୍ଥା ଦେଖିଲେ ଏହା ସ୍ପଷ୍ଟ ହେଉଛି । ଚକାଚକ୍ ନୂଆ ବିଲଡିଂ । ସବୁକିଛି ପ୍ରସ୍ତୁତ ହୋଇ ରହିଛି । ମାର୍କେଟ କମ୍ପ୍ଲେସରେ ୪୦ଟି ଦୋକାନ ବି ବଣ୍ଟା ସରିଛି । ହେଲେ ବର୍ଷେ ହେଇଗଲା, ଗୋଟିଏ ବି ଦୋକାନ ଖୋଲିନି । ପୂରା କଂପ୍ଲେକ୍ସ ଖାଲି । ଫଳରେ ମାର୍କେଟ୍ କଂପ୍ଲେକ୍ସ ନିଶାଡ଼ିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

Advertisment

ବିଭିନ୍ନ କମ୍ପାନୀର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଏକ ଅତ୍ୟାଧୁନିକ ବହୁତଳ ମାର୍କେଟ୍ କଂପ୍ଲେକ୍ସ କରିବାକୁ ଯୋଜନା ହୋଇଥିଲା । ୨୦୧୪-୧୫ରେ ଏହାର ପରିକଳ୍ପନା ହୋଇ ଦୁଇ ବର୍ଷ ପରେ ନିର୍ମାଣ ଆରମ୍ଭ ହୋଇଥିଲା । ବିଭିନ୍ନ ସମସ୍ୟା ଯୋଗୁ ନିର୍ମାଣ କାମରେ ବାରମ୍ୱାର ଉପୁଡିଥିଲା ବାଧା,  ତେବେ ସବୁ ସତ୍ତ୍ୱେ ନିର୍ମାଣ ଶେଷ ହୋଇଥିଲା । ପ୍ରଥମ ପର୍ୟାୟରେ ୪୦ଟି ଦୋକାନ ତିଆରି ହୋଇ ବଣ୍ଟା ସରିଛି । ହେଲେ କାହିଁକି ଏହା କାର୍ଯ୍ୟକ୍ଷମ ହୋଇନି ? କଣ ସମସ୍ୟା ଅଛି ? ତାହା ବୁଝାଯିବ ଓ ମହାନଗର ନିଗମକୁ କହି ଜଲଦି କାର୍ଯ୍ୟକ୍ଷମ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ସମ୍ୱଲପୁର ଗୋଲ ବଜାର ଅଂଚଳରେ ପାର୍କିଂ ସ୍ଥିତି ଜଟିଳ । ଏହି ମାର୍କେଟ କଂପ୍ଲେକ୍ସ କାର୍ଯ୍ୟକ୍ଷମ ହେଲେ ପାର୍କିଂ ସମସ୍ୟାର ସମାଧାନ ହୋଇପାରିବ ।