କନକ ବ୍ୟୁରୋ : ଜୁଲାଇ ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି । ଏହା ଏଲ୍ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନିଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି । ଚଳିତ ମାସରେ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ମଙ୍ଗଳବାର ଜୁଲାଇ ୧ ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୨୩.୫୦ ଟଙ୍କା ପରିବର୍ତ୍ତେ ୧୬୬୫ ଟଙ୍କା ହେବ । ସେହିପରି ନୋଏଡାରେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୧୭୪୭.୫୦ ଟଙ୍କା ହେବ । କୋଲକାତାରେ ଏଲ୍ପିଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୬ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କା ହେବ ।
ମୁମ୍ବାଇରେ ଏବେ ଏହା ୧୬୭୪.୫୦ ଟଙ୍କା ପରିବର୍ତ୍ତେ ୧୬୧୬ ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୩.୫୦ ଟଙ୍କା ପରିବର୍ତ୍ତେ ୧୮୮୧ ଟଙ୍କା ହେବ । ବାଣିଜ୍ୟିକ ସିଲିଣ୍ଡର ଶସ୍ତା ହେବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।
ସୂଚନାଯୋଗ୍ୟ, ଜୁନ୍ ୨୦୨୫, ମେ’ ୨୦୨୫, ଏପ୍ରିଲ୍ ୨୦୨୫ ରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା । ଜୁନ୍ ମାସରେ ୨୪ ଟଙ୍କା ହ୍ରାସ କରାଯାଇଥିଲା । ମେ’ ମାସରେ ମୂଲ୍ୟ ୧୪.୫୦ ଟଙ୍କା ଏବଂ ଏପ୍ରିଲ୍ ମାସରେ ୪୧ ଟଙ୍କା ହ୍ରାସ କରାଯାଇଥିଲା । ଫେବ୍ରୁଆରିରେ ୭ ଟଙ୍କା ହ୍ରାସ ହୋଇଥିଲା । କିନ୍ତୁ ମାର୍ଚ୍ଚରେ ୬ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ଜୁଲାଇ ମାସରେ ମଧ୍ୟ ଦର ଚତୁର୍ଥ ଥର ପାଇଁ ହାର ହ୍ରାସ କରାଯାଇଛି ।