କନକ ବ୍ୟୁରୋ: ଜୁଲାଇ ୬ରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ବଢ଼ିବ । ସମ୍ଭାବ୍ୟ ଲଘୁଚାପ ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ବେସିନରେ ବର୍ଷା ହେବ । ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ହେଲେ ମହାନଦୀ ଫୁଲିବାର ସମ୍ଭାବନା ଅଛି । ହୀରାକୁଦରେ ଏବେ ୬୦୦ ଫୁଟ୍ ପାଖାପାଖି ପାଣି ରହିଛି । ତେଣୁ ଛତିଶଗଡ଼ ପାଣି ଛାଡ଼ିଲେ ହୀରାକୁଦ ଦେଇ ତଳମୁଣ୍ଡରେ ଜଳସ୍ତର ବଢ଼ିବା ସହ ବନ୍ୟା ଆସିବାର ଆଶଙ୍କା ରହିଛି । ଏହାସହିତ ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ହେବାର ଆଶଙ୍କା କରାଯାଉଛି ।
- ମହାନଦୀରେ ଜୁଲାଇରେ ଆସିବ ବନ୍ୟା?
- ବ୍ରାହ୍ମଣୀ ବେସିନ୍ରେ ବି ଢାଳିବ ବର୍ଷା
ଲଘୁଚାପ ସକ୍ରିୟ ରହିଛି, ଝାଡ଼ଖଣ୍ଡ ମୁହାଁ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହାପରେ ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତା ସହିତ ସମୁଦ୍ର ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ୩ ଜୁଲାଇରୁ ବର୍ଷା କମିବ । ଜୁନରେ ରାଜ୍ୟରେ ୧୭ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୧୨ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଛି । ତେବେ ଆଉ ଏକ ଲଘୁଚାପ ଆସିଲେ ଓ ମହାନଦୀରେ ବନ୍ୟା ହେଲେ ଏହାର ମୁକାବିଲା କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।