କନକ ବ୍ୟୁରୋ : ସରିନି ବର୍ଷା ବିତ୍ପାତ । ଗଭୀର ଅବପାତ ଦାଉ ସାଧିବା ପରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବା ଆଶଙ୍କା । ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ସୁଦ୍ଧା ମୌସୁମୀ ଅଗ୍ରସର ଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି । ସେପଟେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ କ୍ରମଶଃ ଦୁର୍ବଳ ହୋଇ ଅବପାତକୁ ବଦଳିଛି । ଅବପାତ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ ମହାପାତ୍ର ଗଜପତି ଜିଲ୍ଲାର ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି । ପ୍ରାଶାସନିକ ଅଧିକାରୀଙ୍କ ସହ ଭୂସ୍ଖଳନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ସେହିପରି ଫୁଲବାଣୀ ଅଞ୍ଚଳର ଭୁସ୍ଖଳନ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । 

Advertisment

ସେପଟେ ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ସାଂସଦ ସପ୍ତଗିରି ଉଲ୍ଲାକା । ପ୍ରବଳ ବର୍ଷାରେ ଗୁଣୁପୁର ବ୍ଲକର ପୁଟାସିଂ ଏବଂ ଟୋଳନା ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଦୁଇଟି ପଞ୍ଚାୟତର ବିଭିନ୍ନ ସ୍ଥାନର ଆପ୍ରୋଚ୍‌ ରୋଡ଼ ଓ ରାସ୍ତା ଧସିଯିବା ସହ ଧାନ ଓ କପା ଚାଷ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପୁଟାସିଂ ଏବଂ ଟୋଳନା ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି । କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପରେ କ୍ଷତିଗ୍ରସ୍ତ ଚାଷୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରେ ଶ୍ରୀଯୁକ୍ତ ଉଲ୍ଲାକା ଗୁଣୁପୁର ବ୍ଲକ ଅନ୍ତର୍ଗତ ପ୍ରଭାବିତ ଆବାଡ଼ା ଓ ଶଗଡ଼ା ଅଞ୍ଚଳ ଗସ୍ତ କରିଥିଲେ । ସାଂସଦଙ୍କ ଗ୍ରସ୍ତ ସମୟରେ ଗୁଣୁପୁର ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । 

ଅନ୍ୟପଟେ ଲଗାଣ ବର୍ଷାରେ ମନ୍ଦିର ଉପରେ ଟଳି ପଡ଼ିଲା ବଡ଼ ଗଛ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର କହ୍ନେଇପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କହ୍ନେଇପୁର ପଞ୍ଚାୟତରେ ଥିବା ରାହଣ ଦେବୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଥିବା ଏକ ପୁରୁଣା ଗଛ ଟଳି ପଡ଼ିବାରୁ ମନ୍ଦିର ଭାଙ୍ଗିଯାଇଛି । ମନ୍ଦିରର ପାଚେରୀ ଓ ମୁଖଶାଳା ଭାଙ୍ଗିଯାଇଛି । ଦଶହରା ପୂଜା ଭିତରେ ମନ୍ଦିର ଗେଟ୍ ଭାଙ୍ଗିଯାଇଥିବା ଭକ୍ତଙ୍କ ମଧ୍ୟରେ ଦୁଃଖର ଲହରି ଖେଳିଯାଇଛି ।