କନକ ବ୍ୟୁରୋ: ରାଜଧାନୀରେ ଆତଙ୍କ ଖେଳାଉଛି କବାଟତଡା ଗ୍ୟାଙ୍ଗ। ତାଲା ପଡୁଥିବା ଘରେ ପଶି ଆରମ୍ଭ କରୁଛନ୍ତି ଅପରେସନ । ବୈଜ୍ଞାନିକଙ୍କ ଘରୁ ଅଧାକିଲୋ ସୁନା ଗହଣା ଲୁଟ ପରେ ପୁଣି ସାମନାକୁ ଆସିଛି ଆଉ ଜଣେ ସଫ୍ଟୱେର ଇଂଜିନିୟରଙ୍କ ଘରୁ ଲୁଟର ଦୃଶ୍ୟ । ଘରର କବାଟ ତାଡି ଘର ଭିତରେ ପଶି ସବୁ କିଛି ସଫା କରି ଦେଇଛନ୍ତି ଲୁଟେରା । ଚୋରି କରିବା ପରେ, ସବୁ କିଛି ଚାରିଆଡେ ଛିନଛତର କରି ଫୋପାଡି ଦେଇଛନ୍ତି । ଆଲମିରାରେ ଥିବା ଦାମୀ ସୁନା, ରୁପା ଗହଣ ସହ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଫ୍ରିଜ ଭିତରୁ ଫଳ, ପରିବା ସହ , ଗରମ ମସଲା ଓ ରୋଷେଇ ସାମଗ୍ରୀ ବି ନେଇଯାଇଛନ୍ତି । ଏଭଳି ଘଟଣା ପରେ, ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତୋବାସୀ  ।
 
ଏ ହେଉଛି ଚନ୍ଦକା ଥାନା ଅଧିନ ଆକ୍ରୋପଲିସ ଆପାର୍ଟମେଣ୍ଟ । ଘର ଛାଡି ରାସ୍ତା ଉପରେ ଘର ମାଲିକ । ସିରିଜ ଲୁଟ ପରେ, ଛାନିଆଁ ହୋଇ ପଡିଛନ୍ତି ଏଠାରେ ରହୁଥିବା ବରିଷ୍ଠ ନାଗରିକ ଓ ମହିଳା । ରାତି ହେବା ମାତ୍ରେ ଏଠି ଛାତି ଥରାଉଛନ୍ତି ଲୁଟେରା । 
 
ପାର୍ବଣ ଆରମ୍ଭରୁ ରାଜଧାନୀରେ କଳା ପଲସରର ଆତଙ୍କ ଦେଖିବାକୁ ମିଳିଲାଣି। ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେଉଥିବାର ଦୃଶ୍ୟ ଯେମିତି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ସେପଟେ ଆପାର୍ଟମେଣ୍ଟରେ କବାଟ ତଡା ଗ୍ୟଙ୍ଗକୁ ବି ଠାବ କରିବାରେ ପୁଲିସ ବିଫଳ ହୋଇଛି ।