କନକ ବ୍ୟୁରୋ: କଣ୍ଟ ପୂରିବାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। କିନ୍ତୁ ନୂଆ ଅବକାରୀ ନୀତି ଆଣିପାରିଲେନି ସରକାର। ବରଂ ଘୋଷଣା କରି ଆଉ ମାସେ ପାଇଁ ଡେଡଲାଇନ ବଢାଇଲେ। ସରକାରଙ୍କ ଏଭଳି ନୀତିକୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ବୟାନବାଜି ତେଜିଛି।

Advertisment
  • ସରୁଛି ଡେଡଲାଇନ, ଆସିଲାନି ନୂଆ ଅବକାରୀ ନୀତି
  • ଆହୁରି ମାସେ ସମୟ ନେଲେ ମୋହନ ସରକାର 

ପ୍ରତିବର୍ଷ ଏପ୍ରିଲ ୧ରୁ ନୂଆ ଅବକାରୀ ନୀତି ଆଣିଥାନ୍ତି ସରକାର। କିନ୍ତୁ ନୂଆ ସରକାର ଆରମ୍ଭରୁ ଝୁଣ୍ଟିଛନ୍ତି। କଣ୍ଟ ପୂରିବାକୁ ଯାଉଥିଲେ ବି ନୂଆ ଅବକାରୀ ନୀତି ଆଣିବାରେ ବିଫଳ ହୋଇଛନ୍ତି ସରକାର। ବରଂ ପୁରୁଣା ମଦ ନୀତିର ଅବଧିକୁ ଆହୁରି ଏକ ମାସ ବଢ଼ାଇ ଦେଇଛନ୍ତି ସରକାର। ଏନେଇ ଅବକାରୀ ବିଭାଗ ତରଫରୁ ଚିଠି କରାଯାଇଛି। ଏଥିସହ ନୂଆ ମଦ ନୀତିକୁ ଲାଗୁ କରିବାକୁ ଆହୁରି ମାସେ ସମୟ ଦରକାର ବୋଲି କହିଛନ୍ତି ଆଇନମନ୍ତ୍ରୀ। ଏପ୍ରିଲ ୩୦ ଭିତରେ ନୂଆ ଅବକାରୀ ନୀତିକୁ ଚୂଡାନ୍ତ ରୂପ ଦିଆଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ।

ନିର୍ଦ୍ଧାରିତ ସମୟରେ ନୂଆ ଅବକାରୀ ନୀତି ନ ଆସିବାକୁ ନେଇ କଟାକ୍ଷ କରିଛି ବିଜେଡି। ବିଜେଡି ନେତା ନେତା କହିଛନ୍ତି, ଏ ସରକାର ସବୁବେଳେ ପୂର୍ବ ସରକାରକୁ ଦୋଷ ଦେବା ଜାଣିଛି। ଏ ସରକାରରେ ବିଷାକ୍ତ ମଦ କାରବାର ବଢିବା ସହ ଚିକିଟି ମଦମୃତ୍ୟୁ ଭଳି ଅଘଟଣ ଦେଖିବାକୁ ମିଳୁଛି। 

ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ମଦ ବନ୍ଦ କରିବା ସପକ୍ଷରେ ବିଜେପିର ଅନେକ ନେତା ମତ ରଖିଥିଲେ। ତେବେ ନୂଆ ସରକାର ଆସିବା ପରେ ମଦ ବନ୍ଦକୁ ନେଇ ସେଭଳି ଠୋସ ପଦକ୍ଷେପ ନିଆଯାଇନି। ଏବେ ଦେଖିବା ବାକି ରହିଲା, ନୂଆ ଅବକାରୀ ନୀତିରେ ଓଡ଼ିଶାକୁ ମଦମୁକ୍ତ କରିବାକୁ କଣ ପଦକ୍ଷେପ ନେଉଛନ୍ତି ସରକାର?