କନକ ବ୍ୟୁରୋ: ପାର୍ବଣ ପୂର୍ବରୁ ଟ୍ରେନରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ... କାରଣ ଟ୍ରେନ୍ ଟିକେଟ୍ ବୁକିଂ ନିୟମରେ କେତେକ ପରିବର୍ତ୍ତନ କରିଛି ରେଲ୍ୱେ । ଏହି ନୂଆ ନିୟମ ବିଷୟରେ ଜାଣିବା ଜରୁରୀ ନହେଲେ ସମସ୍ୟାରେ ପଡ଼ିପାରନ୍ତି ଲୋକେ । ଗତ ମାସରେ ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ କରିଛି । ନୂଆ ନିୟମ ମୁତାବକ ଆପଣଙ୍କ IRCTC ଆକାଉଣ୍ଟ ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି ।
ଏହାପରେ ଯାତ୍ରୀମାନଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଯେଉଁମାନେ ଟିକେଟ୍ କାଉଣ୍ଟରରୁ ତତ୍କାଳ ଟିକେଟ୍ କରିବେ ସେମାନଙ୍କୁ ବି ଆଧାର କାର୍ଡ ଦେଖାଇବାକୁ ପଡିବ କି ? ଏବଂ ରିଜର୍ଭେସନ୍ ପାଇଁ ମଧ୍ୟ ଆଧାର ଭେରିଫିକେସନ୍ ଜରୁରୀ କି ? ଏହାକୁ ନେଇ ରେଳବାଇ ଏକ ବଡ଼ ଅପଡେଟ୍ ଦେଇଛି । ଏହାକୁ ନେଇ ବିସ୍ତୃତ ଭାବରେ ଆଲୋଚନା ହୋଇଛି ।
ଗତ ଜୁଲାଇ ୧୫ ତାରିଖରୁ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଆଧାର ଆଧାରିତ OTP ଭେରିଫିକେସନ୍ ବାଧ୍ୟତାମୂଳକ କରାଯାଇଥିଲା । ଅର୍ଥାତ IRCTC ଆପ୍ କିମ୍ବା ୱେବସାଇଟ୍ରୁ ଟିକେଟ୍ ବୁକ୍ କରିବେ, ତେବେ ଆପଣଙ୍କ ଆଧାର ସହିତ ଲିଙ୍କ୍ ମୋବାଇଲ୍ ନମ୍ବରକୁ ଏକ OTP ଆସିବ । OTP ଏଣ୍ଟ୍ରି ନକଲେ ଟିକେଟ୍ ବୁକିଂ ହୋଇପାରିବ ନାହିଁ । ଏହି ପଦକ୍ଷେପ ଦଲାଲ୍ ଏବଂ ଜାଲ୍ ବୁକିଂ ଉପରେ ରୋକ୍ ଲଗାଇବା ପାଇଁ ନିଆଯାଇଛି, ଯାହାଦ୍ୱାରା ସାଧାରଣ ଯାତ୍ରୀମାନେ ସହଜରେ ଟିକେଟ୍ ପାଇପାରିବେ ।
ବର୍ତ୍ତମାନ ଜେନେରାଲ୍ ରିଜର୍ଭେସନରେ ମଧ୍ୟ ଇ-ଆଧାର ଭେରିଫିକେସନ୍ ବାଧ୍ୟତାମୂଳକ ହେବ । ରିଜର୍ଭେସନ୍ ୱିଣ୍ଡୋ ଖୋଲିବାର ପ୍ରଥମ ୧୫ ମିନିଟ୍ ପର୍ଯ୍ୟନ୍ତ କେବଳ ଆଧାର ଲିଙ୍କ୍ କରିଥିବା ୟୁଜର୍ସ ହିଁ ଜେନେରାଲ୍ ରିଜର୍ଭେସନରେ ଟିକେଟ୍ ପାଇପାରିବେ । ତେବେ ରେଳବାଇ ସ୍ପଷ୍ଟ କରିଛି ଯେ ଷ୍ଟେସନରେ କାଉଣ୍ଟରରୁ ସାଧାରଣ ଅର୍ଥାତ୍ ଜେନେରାଲ୍ ଟିକେଟ୍ ନେଉଥିବା ଲୋକଙ୍କୁ କୌଣସି ପରିଚୟ ପତ୍ରର ଆବଶ୍ୟକତା ପଡ଼ିବ ନାହିଁ । ନୂତନ ସିଷ୍ଟମରେ ଆଉ ଏକ ବିଶେଷ ପରିବର୍ତ୍ତନ ବି କରାଯାଇଛି। ବର୍ତ୍ତମାନ ତତ୍କାଳ ଟିକେଟ୍ ବୁକିଂ ୱିଣ୍ଡୋ ଖୋଲିବାର ପ୍ରାରମ୍ଭିକ ୧୦ ମିନିଟ୍ ପର୍ଯ୍ୟନ୍ତ IRCTC ଏଜେଣ୍ଟମାନେ ଟିକେଟ୍ ବୁକ୍ କରିପାରିବେ ନାହିଁ । ରେଳବାଇ ସ୍ପଷ୍ଟ କରିଛି ଯେ ବୁକିଂ ଆରମ୍ଭ ହେବାର ପ୍ରଥମ ୧୦ ମିନିଟ୍ ପର୍ଯ୍ୟନ୍ତ କେବଳ ଆଧାର ଲିଙ୍କ୍ କରିଥିବା ୟୁଜର୍ସ ହିଁ ଟିକେଟ୍ ବୁକ୍ କରିପାରିବେ।
AC କ୍ଲାସ୍ର ତତ୍କାଳ ବୁକିଂ ସକାଳ ୧୦ଟାରୁ ୧୦:୩୦ ପର୍ଯ୍ୟନ୍ତ କେବଳ ଯାତ୍ରୀମାନଙ୍କ ପାଇଁ ହେବ ଏବଂ ନନ୍-AC ଟିକେଟ୍ ବୁକିଂ ୧୧ଟାରୁ ୧୧:୩୦ ପର୍ଯ୍ୟନ୍ତ ହେବ । ଏହାଦ୍ୱାରା ସାଧାରଣ ଯାତ୍ରୀମାନେ ସହଜରେ ଟିକେଟ୍ ପାଇପାରିବେ । ୟୁଜର୍ସମାନେ ରେଲ୍ କନେକ୍ଟ୍ ଆପ୍ କିମ୍ବା ୱେବ୍ସାଇଟ୍ରେ ଲଗ୍ଇନ୍ କରି ମାଇଁ ଆକାଉଣ୍ଟ୍ ସେକ୍ସନକୁ ଯାଇ ଆଧାର ଅଥେଣ୍ଟିକେସନ୍ କରିପାରିବେ । OTP ସହିତ ଭେରିଫିକେସନ୍ କରିବା ପରେ ୟୁଜର୍ସଙ୍କ ପ୍ରୋଫାଇଲ୍ ଆଧାର ସହିତ ଲିଙ୍କ୍ ହୋଇଯିବ । ଏହାପରେ ୟୁଜର୍ସମାନେ ସହଜରେ ତତ୍କାଳ ଟିକେଟ୍ ବୁକ୍ କରିପାରିବେ ।