କନକ ବ୍ୟୁରୋ:ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ନୂଆ ଆୟକର ବିଲ୍ ଆଗତ କରିଛନ୍ତି । ନୂଆ ଆୟକର ଆଇନ୍-୨୦୨୫ ସଂସଦର ଅନୁମୋଦନ ଲାଭ କଲେ, ପ୍ରଚଳିତ ଆୟକର ଆଇନ- ୧୯୬୧ର ସ୍ଥାନ ନେବ । ତେବେ ବିଲକୁ ସଂସଦର ନିମ୍ନ ସଦନରେ ଆଗତ କରି, ଏହାକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସୁପାରିଶ କରିଛନ୍ତି ନିର୍ମଳା ।
ନୂଆ ଆୟକର ଆଇନକୁ ଅଧିକ ସରଳ ଓ ପାରଦର୍ଶୀ କରାଯାଇଛି । ବିଶେଷ କରି ଟିକସଦାତାଙ୍କ ଅନୁକୂଳ ପ୍ରସ୍ତାବମାନ ଦିଆଯାଇଥିବା ଦାବି କରିଛନ୍ତି ମୋଦୀ ସରକାର । ଦେଖିବା ନୂଆ ବିଲରେ କ'ଣ ସବୁ ପରିବର୍ତ୍ତନ କରିଛନ୍ତି ମୋଦୀ ସରକାର ।
ନୂଆ ଆୟକର ବିଲରେ କ'ଣ ହୋଇଛି ପରିବର୍ତ୍ତନ?
ନୂଆ ବିଲରେ ମୋଟ୍ ୫୩୬ ଧାରା ଓ ୨୩ଟି ଚାପ୍ଟର ରଖାଯାଇଛି
ଟିକସ ଭରିଲା ବେଳେ 'ଆସେସମେଣ୍ଟ ଇଅର' ଓ 'ଫାଇନାନ୍ସିଆଲ ଇଅର'କୁ ନେଇ ଦ୍ୱନ୍ଦ୍ୱ ହେଉଥିଲା
ଏହାକୁ ଉଚ୍ଛେଦ କରି କେବଳ 'ଟାକ୍ସ ଇଅର' ରହିବ ବୋଲି ନୂଆ ବିଲରେ ପ୍ରସ୍ତାବ ରହିଛି
ବଜେଟରେ ଘୋଷଣା ମୁତାବକ ନୂଆ ଆୟକର ଆଇନରେ ୫ଟି ଆୟକର ସ୍ଲାବ ରହିବ । କିନ୍ତୁ ନିବେଶ କରୁଥିଲେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକାରୀଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଏବେ ଆସନ୍ତୁ ନଜର ପକାଇବା ଆଉକିଛି ବଡ଼ ପରିବର୍ତ୍ତନ ଉପରେ ।
ନୂଆ ଆୟକର ବିଲରେ କ'ଣ ହୋଇଛି ପରିବର୍ତ୍ତନ?
ପୂର୍ବରୁ ଆୟକର ସମ୍ପର୍କିତ ନୂଆ ସ୍କିମ୍ ପାଇଁ ସଂସଦର ଅନୁମତି ନେବାକୁ ପଡୁଥିଲା
ନୂଆ ବିଲରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ- CBDTକୁ ସ୍ୱତନ୍ତ୍ରତା ଦିଆଯାଇଛି
NPS, ଇନ୍ସୁରାନ୍ସ, ଗ୍ରାଚୁଇଟି ଓ PF ଉପରେ ଟିକସ ରିହାତି ଜାରି ରହିବ
ଟିକସ ଚୋରି କଲେ ଅଧିକ ସୁଧ ସହ ଜରିମାନା ଆଦାୟର ବ୍ୟବସ୍ଥା ରହିଛି
ସରକାରଙ୍କଠାରୁ ଆୟର ସ୍ରୋତ ଲୁଚାଇଲେ ଆକାଉଣ୍ଟ ସିଜ୍ ହେବ
ଆୟକରକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଇ-ଫାଇଲିଂ ଓ ଇ-କେୱାଇସିକୁ ଗୁରୁତ୍ବ
କେତେକ କ୍ଷେତ୍ରରେ କୃଷି ଆୟ ଉପରେ ଅତିରିକ୍ତ ଟିକସ ରିହାତି ମିଳିବ
୬୦ ବର୍ଷ ପୁରୁଣା ଆଇନରେ କେତେକ ଅସ୍ପଷ୍ଟତା କାରଣରୁ ଟିକସଦାତା ଓ ସରକାରଙ୍କ ମଧ୍ୟରେ ବିବାଦ ଉପୁଜୁଥିଲା । ଫଳରେ ଆୟକରକୁ ନେଇ କୋର୍ଟରେ ମାମଲା ବଢ଼ିଚାଲିଥିଲା । ନୂଆ ଆଇନରେ ଏହାକୁ ସଂଶୋଧନ କରାଯାଇଥିବାରୁ ଆଗକୁ ଦ୍ୱନ୍ଦ୍ୱ କମିବ ବୋଲି ସରକାର ଆଶାବାଦୀ ଅଛନ୍ତି ।