କନକ ବ୍ୟୁରୋ : ଜନ୍ମଗତ ହେଉ ଅବା ଦୁର୍ଘଟଣା ଜନିତ କାରଣରୁ ମଣିଷ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ହରାଇଥାଏ । ଜନ୍ମରୁ କାହାର ହାତ, ଗୋଡ଼ ନଥାଏ ତ ଆଉ କାହାର ଦୁର୍ଘଟଣାରେ ଅଙ୍ଗ ନଷ୍ଟ ହୋଇଯାଏ । ପୂର୍ବରୁ ଯଦି ଜଣେ ବ୍ୟକ୍ତିର ଶରୀରରେ କୌଣସି ଅଙ୍ଗ କ୍ଷତିଗ୍ରସ୍ତ ହେଉଥିଲା, ସେତେବେଳେ ଏହାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପଯୁକ୍ତ ଅଙ୍ଗ ଦ୍ୱାରା ବଦଳା ଯାଉଥିଲା । ଯାହାକୁ ଅଙ୍ଗ ପ୍ରତିରୋପଣ କୁହାଯାଏ । କେତେକ କ୍ଷେତ୍ରରେ ସ୍ବେଚ୍ଛାକୃତ ଭାବେ ଅଙ୍ଗଦାନ କରାଯାଇଥାଏ । ଆଉ କେତେବେଳେ ଏଥିପାଇଁ ଅପରପକ୍ଷଙ୍କୁ ରାଜି କରାଇବାକୁ ପଡ଼େ । ତେବେ ଏସବୁ ସମସ୍ୟାର ସମାଧାନ ଦିଗରେ କୃତ୍ରିମ ଅଙ୍ଗ ନୂତନ ଆଶା ସୃଷ୍ଟି କରିଛି । ଏଗୁଡ଼ିକୁ ଜଣେ ବ୍ୟକ୍ତିଙ୍କ ଶରୀରରେ କ୍ଷତିଗ୍ରସ୍ତ ଅଙ୍ଗ ସ୍ଥାନରେ ଲଗାଯାଇଥାଏ । ଏହା ବ୍ୟକ୍ତିଙ୍କ ଜୀବନକୁ ଉନ୍ନତ କରିବା ସହ ଜୀବନ ପ୍ରତି ବିପଦକୁ ମଧ୍ୟ ହ୍ରାସ କରିଥାଏ।
ଏକ କୃତ୍ରିମ ଅଙ୍ଗ କିପରି କାର୍ଯ୍ୟ କରେ ତାହା କେଉଁ ଅଙ୍ଗ ସ୍ଥାନରେ ଲଗାଯାଉଛି ତାହା ଉପରେ ନିର୍ଭର କରେ । ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଏକ ପ୍ରକୃତ ଅଙ୍ଗ ପରି କାମ କରିବା । ଉଦାହରଣ ସ୍ୱରୂପ, ଯଦି କେହି ଏକ କୃତ୍ରିମ ହୃଦୟ ଲଗାଇଥା’ନ୍ତି ,ତେବେ ଏହାର କାର୍ଯ୍ୟ ହେଉଛି ରକ୍ତ ପମ୍ପ୍ କରିବା । ଏଥିପାଇଁ ଏକ ପମ୍ପିଂ ସିଷ୍ଟମ୍ ଏବଂ ବ୍ୟାଟେରୀ ଅଛି ଯାହା ସମଗ୍ର ଶରୀରକୁ ରକ୍ତ ପଠାଇଥାଏ । ଏହାକୁ ଛାତିରେ ପ୍ରତିରୋପଣ କରାଯାଏ ଯେଉଁଠାରେ ହୃଦୟ ଥାଏ । ସେହିପରି କୃତ୍ରିମ କିଡନିରେ ରକ୍ତକୁ ବିଶୋଧିତ କରିବାକୁ ବ୍ୟବସ୍ଥା ରହିଥିବା ବେଳେ ଆଖି ପାଇଁ କୃତ୍ରିମ କର୍ଣ୍ଣିଆ ରହିଥାଏ । ତେବେ ପ୍ରତ୍ୟେକ ଆବଶ୍ୟକତା ଥିବା ବ୍ୟକ୍ତିଙ୍କଠାରେ ସହଜରେ ପ୍ରତିରୋପଣ ହୋଇପାରିନଥାଏ, ଜାଣନ୍ତୁ ଏହାର କାରଣ ।
କୃତ୍ରିମ ଅଙ୍ଗ ପ୍ରତିରୋପଣ ନୁହେଁ ସଜହ
-ପ୍ରତିରୋପଣ କରିବା ପୂର୍ବରୁ ଅନେକ ପ୍ରକାରର ପରୀକ୍ଷା ହୁଏ
-ରିପୋର୍ଟ ସ୍ୱାଭାବିକ ହେଲେ ହିଁ ଏଗୁଡ଼ିକୁ ପ୍ରତିରୋପଣ କରାଯାଏ
-ପ୍ରତିରୋପଣ ପରେ ଅଙ୍ଗଗୁଡ଼ିକର ପ୍ରତିକ୍ରିୟା ଉପରେ ନଜର ରଖାଯାଏ
-ବ୍ୟକ୍ତି ସେଗୁଡ଼ିକୁ କିପରି ପରିଚାଳନା କରେ ତାହା ମଧ୍ୟ ଦେଖାଯାଏ
୨୦୨୪ ଗ୍ଲୋବାଲ ଡାଟା ରିପୋର୍ଟ ଅନୁଯାୟୀ, ୨୧ଟି କୃତ୍ରିମ ଫୁସଫୁସ୍ ବିଶ୍ୱରେ ବିଭିନ୍ନ ବିକାଶ ପର୍ଯ୍ୟାୟରେ ରହିଛି । ଏଥିମଧ୍ୟରୁ ୭ଟି ସକ୍ରିୟ ବିକାଶ ପର୍ଯ୍ୟାୟରେ ଅଛି । ଯଦି ଏହା ସଫଳ ହୁଏ, ତେବେ ଲୋକଙ୍କଠାରେ କୃତ୍ରିମ ଫୁସଫୁସ୍ ମଧ୍ୟ ପ୍ରତିରୋପଣ କରାଯାଇପାରିବ । ତଥାପି ବିପଜ୍ଜନକ ପରିସ୍ଥିତିରେ ଲୋକଙ୍କୁ ECMO ଅର୍ଥାତ୍ କୃତ୍ରିମ ଫୁସଫୁସ୍ ସହାୟତା ପ୍ରଦାନ କରାଯାଏ । କିନ୍ତୁ ଏପର୍ଯ୍ୟନ୍ତ ଶରୀରରେ ଏହାର ସ୍ଥାୟୀ ପ୍ରତିରୋପଣ କରାଯିବା ସମ୍ଭବ ହୋଇପାରିନାହିଁ ।