କନକ ବ୍ୟୁରୋ : ଚେସ୍‌ ଅଲିମ୍ପିଆଡରେ ନୂଆ ଇତିହାସ। ଭାରତୀୟ ପୁରୁଷ ଓ ମହିଳା ଜିତିଲେ ସ୍ବର୍ଣ୍ଣ । ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡରେ ରବିବାର ଭାରତ ଇତିହାସ ରଚିଛି । ଉଭୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍‌ ଇତିହାସରେ ନୂଆ ଫର୍ଦ ଯୋଡ଼ିଛନ୍ତି । ଏଠାରେ ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡରେ ରବିବାର ଭାରତ ଇତିହାସ ରଚିଛି । ଉଭୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍‌ ଇତିହାସରେ ନୂଆ ଫର୍ଦ ଯୋଡ଼ିଛନ୍ତି । ଡି ଗୁକେଶ, ଅର୍ଜୁନ ଇରିଗାସି ଓ ଆର୍‌ ପ୍ରଜ୍ଞାନନ୍ଦଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ଶେ‌ଷ ରାଉଣ୍ଡରେ ସ୍ଲୋଭେନିଆକୁ ୩-୦ରେ ପରାସ୍ତ କରି ବିଜେତାର ହେବାର ଗୌରବ ଅର୍ଜନ କରିଛି । 

Advertisment

ଓପନ୍‌ ବର୍ଗରେ ଭାରତକୁ ପ୍ରଥମ ମୁକୁଟ ଦେବାରେ ବିଶ୍ବ ଚାମ୍ପିଅନସିପ୍‌ ଖେଳିବାକୁ ଯାଉଥିବା ଗୁକେଶ ଓ ଅର୍ଜୁନ ପ୍ରମୁଖ ଭୂମିକା ନେଇଥିଲେ । ୧୮ ବର୍ଷୀୟ ‌ଗୁକେଶ କଡ଼ା ସଂଘର୍ଷ କରି ଭ୍ଲାଡିମିର ଫେଡୋସେଭଙ୍କୁ ହରାଇଥିଲେ । ଅର୍ଜୁନ ତୃତୀୟ ବୋର୍ଡରେ ଜାନ୍‌ ସୁବେଲିଙ୍କୁ ପରାସ୍ତ କରିଥିଲା ବେଳେ ଦ୍ବିତୀୟରେ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଦେଇ ଆଣ୍ଟୋନି ଡେମଚେଙ୍କୋକୁ ହରାଇଥିଲେ । ଏହି ବିଜୟ ସହ ଭାରତ ୨୨ରୁ ୨୧ ପଏଣ୍ଟ କରାୟତ୍ତ କରିଥିଲା । ପ୍ରତିଯୋଗିତାରେ ଭାରତ କେବଳ ଉଜବେକିସ୍ତାନ ସହ ଡ୍ର’ ରଖିଥିଲା ବେଳେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ଦଳରେ ବିଦିତ ଗୁଜରାଟୀ ଓ ପେଣ୍ଟାଲା ହରେକୃଷ୍ଣ ମଧ୍ୟ ଥିଲେ । ଭାରତୀୟ ପୁରୁଷ ଦଳ ପୂର୍ବରୁ ଦୁଇ ଥର ‌୨୦୨୨ରେ ଚେନ୍ନାଇ ଏବଂ ୨୦୧୪ରେ ନରୱେର ଟ୍ରୋମସୋରେ କାଂସ୍ୟ ଜିତିଥିଲା । ମହିଳା ଦଳ ୩.୫-୦.୫ରେ ଆଜରବୈଜାନକୁ ହରାଇ ଭାରତକୁ ଯୁଗଳ ମୁକୁଟ ‌ଭେଟି ଦେଇଥିଲେ । ଡି ହାରିକା ପ୍ରଥମ ବୋର୍ଡରେ ମମାଡଜାଡା ଗୁନାୟଙ୍କୁ ହରାଇଥିଲେ । ତେବେ ଆର୍‌ ବୈଶାଳି ଦ୍ବିତୀୟ ବୋର୍ଡ ଫତାଲିୟେଭା ୟୁଲଭିୟାଙ୍କ ସହ ପଏଣ୍ଟ ବାଣ୍ଟିଥିଲେ । ଏହା ପର ଦୁଇ ବୋର୍ଡରେ ଦିବ୍ୟା ଦେଶମୁଖ ଓ ବନ୍ତିକା ଅଗ୍ରୱାଲ ଯଥାକ୍ରମେ ବେଦୁଲୟେଭା ଗୋବହର ଓ ବାଲାଜୟେଭା ଖାନିମଙ୍କୁ ହରାଇ ଭାରତକୁ ପୂରା ୨ ପଏଣ୍ଟ ଦେଇଥିଲେ । ଫଳରେ ଭାରତ ୨୨ରୁ ୧୯ ପଏଣ୍ଟ ପାଇ କାଜାଖସ୍ତାନ (୧୮)କୁ ପଛରେ ପକାଇ ସ୍ବର୍ଣ୍ଣ ଜିତି ନେଇଥିଲା । ୧୦ ରାଉଣ୍ଡ ସୁଦ୍ଧା ଭାରତ ଓ କାଜାଖସ୍ତାନ ସମାନ ୧୭ ପଏଣ୍ଟ ପାଇ ଯୁଗ୍ମ ଶୀର୍ଷରେ ଥିଲେ । ଏକାଦଶ ରାଉଣ୍ଡରେ କାଜାଖସ୍ତାନ-ଆମେରିକା ମ୍ୟାଚ୍‌ ଡ୍ର’ରେ ଶେ‌ଷ ହେବାରୁ ଭାରତ ଆଗରେ ରହିଥିଲା ।