କନକ ବ୍ୟୁରୋ: ଜିଏସ୍‌ଟି ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପରେ ସାଧାରଣ ଜନତାକୁ ଏକ ପ୍ରକାର ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । କାରଣ ନୂଆ ଜିଏସ୍‌ଟି ସ୍ଲାବ୍‌ ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଯାହାଫଳରେ ଲୋକଙ୍କୁ କୌଣସି ସାମଗ୍ରୀ ଉପରେ ଆଉ ୧୨ ଓ ୨୮ ପ୍ରତିଶତ କର ଦେବାକୁ ପଡ଼ିବ ନାହିଁ । ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ୍‌ ଲାଗୁ ହେବ । ଅତ୍ୟାବଶ୍ୟକ ସାମଗ୍ରୀ ଏଥର ଶସ୍ତାରେ ପାଇବେ ଲୋକେ । କିନ୍ତୁ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସ୍‌ଟି ଲାଗିବ । ଖୋଦ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ ସୂଚନା ଦେଇଥିଲେ । ଏହାପରେ ଏକ ବଡ଼ ପ୍ରଶ୍ନ ପ୍ରତ୍ୟେକଙ୍କ ମନରେ ଉଙ୍କି ମାରୁଛି । ତାହା ହେଉଛି ନୂଆ ଜିଏସ୍‌ଟି ସ୍ଲାବ୍‌ ପରେ ସୁନା ରେଟ୍‌ ବଢ଼ିବ ନା କମିବ । କାରଣ ଭାରତୀୟ ସଂସ୍କୃତିରେ ସୁନାର ଆଦର ଅଧିକ ରହିଛି । ବିବାହ ହେଉକି ଅନ୍ୟାନ୍ୟ ଉତ୍ସବ ସବୁଠି ସୁନାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । 

Advertisment

ସାଧାରଣତଃ ଲୋକମାନେ ନିବେଶ ଦୃଷ୍ଟିରୁ ୨୪ କ୍ୟାରେଟ ସୁନା କିଣିଥାଆନ୍ତି । ସେହିଭଳି ଆଭୁଷଣ ତିଆରି କରିବା ପାଇଁ ୨୨ କ୍ୟାରେଟ୍‌ କିମ୍ବା ୧୮ କ୍ୟାରେଟ୍‌ ସୁନାର ବ୍ୟବହାର ହୋଇଥାଏ । ତେଣୁ ସୁନାର ଦର ଯଦି କମିବ କେତେ କମିବ ଓ ଯଦି ବଢ଼ିବ କେତେ ବଢ଼ିବ, ସେହି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ରହିଛି । ବର୍ତ୍ତମାନ ରାଜ୍ୟରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୭ ହଜାର ୯୫୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ ସୁନାର ମୂଲ୍ୟ ୮୦ହଜାର ୧୪୦ ଟଙ୍କା ରହିଛି ।  

ଭାରତରେ ସୁନାର ମୂଲ୍ୟ ଡଲାର ତୁଳନାରେ ସ୍ଥିର ହୋଇଥାଏ । ସୁନାର ଦାମ ଡଲାର ଓ ଟଙ୍କାର ବିନିମୟ ଉପରେ ସିଧା ପ୍ରଭାବ ପକାଇଥାଏ । ତେବେ ଯଦି ଜିଏସ୍‌ଟି କଥା କହିବା ତେବେ ସୁନା ଉପରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଭାବରେ ଅପରିବର୍ତ୍ତିତ ରହିଛି । ସୁନା କିଣିବା ଉପରେ ପୂର୍ବରୁ ଯେଭଳି ୩ ପ୍ରତିଶତ ଜିଏସ୍‌ଟି ଲାଗୁ ରହିଛି । ସେହିଭଳି ସୁନାରୁ ଗହଣା ମେକିଂ ଚାର୍ଜ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ରହିଛି । ଉଭୟ ନୂତନ ଜିଏସ୍‌ଟିରେ ଅପରିବର୍ତ୍ତିତ ରହିଛି । ତେଣୁ ସୁନାଦରକୁ ନେଇ ଏବେ ଲୋକଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ମିଳିବ ନାହିଁ । ତେବେ ସେୟାର ମାର୍କେଟ ପ୍ରଭାବ ଯୋଗୁଁ ସପ୍ଟେମ୍ବର ୪ ତାରିଖରେ ୧୦ ଗ୍ରାମ ସୁନା ଉପରେ ୧୧୦୦ ଟଙ୍କା ହ୍ରାସ ପାଇଛି । ତେଣୁ ବର୍ତ୍ତମାନ ଲୋକେ ଚାହିଲେ ସୁନା କିଣି ପାରିବେ ।