କନକ ବ୍ୟୁରୋ: ଭାରତର ମାଛ, ହେଲେ ଭାରତରେ ମିଳୁନଥିଲା । ପ୍ରଥମଥର ପାଇଁ ଓଡ଼ିଶାରୁ ମିଳିଛି ନୂଆ ପ୍ରଜାତିର ମାଛ । ଯାହା ଏବେ ବିଶ୍ବର ବିଭିନ୍ନ ବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ କରିଛି । ସେହିପରି ପରିବେଶକୁ ସୁରକ୍ଷା ଦେଉଥିବା ସାମୁଦ୍ରିକ ଜିଆ ବି ଆବିଷ୍କାର ହୋଇଛି । ଗୋପାଳପୁରଠାରେ ଥିବା ଭାରତୀୟ ପ୍ରାଣୀ ସର୍ବେକ୍ଷଣର ଆଞ୍ଚଳିକ କାର୍ଯ୍ୟାଳୟକୁ ମିଳିଛି ଏହି ବଡ଼ ସଫଳତା । 

Advertisment

ଓଡ଼ିଆ ପ୍ରାଣୀ ଗବେଷକଙ୍କୁ ବଡ଼ ସଫଳତା
ଆର୍ଯ୍ୟପଲ୍ଲୀରେ ମିଳିଲା ‘ମେଗିଟ୍ସ ଗୋବି’

ପ୍ରଥମଥର ପାଇଁ ଗୋପାଳପୁର ‌ଜେଡ୍‌ଏସ୍‌ଆଇର ବୈଜ୍ଞାନିକମାନେ ଏହାକୁ ଗୋପାଳପୁର ବନ୍ଦର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରୁ ଆବିଷ୍କାର କରିଛନ୍ତି । ଏହି ‘ମେଗିଟ୍ସ ଗୋବି’ ମାଛର ଶରୀର ଲମ୍ବା ଓ ମୁଣ୍ଡରେ ସ୍କେଲ୍‌ ନଥାଏ । ଶରୀର ପ୍ରାୟ ନଳାକାର ଓ ଏହାର ଆଖି, ମୁଣ୍ଡର ଆଗ ଭାଗରେ ଅବସ୍ଥିତ । ଦେହରେ ହାଲୁକା ଓଲିଭ୍ ରଙ୍ଗ ସହିତ ୪ଟି ଗାଢ଼ ଚଉଡ଼ା ଧାଡ଼ି ଥାଏ । ପିଠି ଓ ପେଟରେ ଧୂସର ଚିହ୍ନ ଦେଖାଯାଏ । ସମୁଦ୍ର ଭିତରେ ଥିବା ପଥର ସନ୍ଧିରେ ଏହା ଲୁଚି ରହିବା ସହ ଛୋଟ କୀଟ ଓ ଶୈବାଳକୁ ଖାଇଥାଏ । 

୨ ପ୍ରକାର ସାମୁଦ୍ରିକ ଜିଆ । ଦୀଘା ଓ ବାଙ୍କିପୁଟ ଅଞ୍ଚଳରୁ ଆବିଷ୍କାର ହୋଇଛି ଏହି ସମୁଦ୍ରକୀଟ । ଯାହାର ନାଁ ଦିଆଯାଇଛି ନାମାଲୟିକାଷ୍ଟିସ୍‌ ଶୋଲେନୋଟୋଗ୍ନାଥା ଓ ନେରେଇସ୍‌ ଧୃତିଏଇ । ଏହି ପ୍ରଜାତି ମୁଖ୍ୟତଃ ଅତ୍ୟଧିକ ଖୋଲା ମାଟିଆଳ ଜଳଭୂମି, ସଲଫାଇଡ୍‌ ଓ ଦୁର୍ଗନ୍ଧମୟ ବେଳାଭୂମିରେ ମିଳିଥାଏ । ହେନ୍ତାଳ ବଣ, ପଟୁ ଓ କଠିନ ମାଟି ସହ ମଧ୍ୟ ଏହି ପ୍ରଜାତି ସଂପୃକ୍ତ । ନେରେଇସ୍‌ ଧୃତିଏଇ ପ୍ରଜାତି ବାଲୁକାମୟ ସମୁଦ୍ରତଟରେ ଥିବା କାଠକୁ କଣା କରି ତା'ଭିତରେ ରହିବାକୁ ପସନ୍ଦ କରେ । ଏହା ପୋଷକ ଦ୍ରବ୍ୟର ପୁନଃଚକ୍ରଣରେ ସାହାଯ୍ୟ କରନ୍ତି । 

ପୂର୍ବରୁ ଗୋବି ପ୍ରଜାତି ଦକ୍ଷିଣ ଆଫ୍ରିକା, ପାର୍ସିଆନ ଗଲ୍ଫ, ୟେମେନ୍‌ର ସୋକୋତ୍ରା, ଫିଜି, ଦକ୍‌ ଜାପାନ ଓ ଉତ୍ତର ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଇଣ୍ଡୋ-ପଶ୍ଚିମ ପ୍ୟାସିଫିକ ଅଞ୍ଚଳରେ ସୀମିତ ଥିଲା । ଏବେ ଗୋପାଳପୁର ଉପକୂଳରୁ ମିଳିବା, ଏହି ରେକର୍ଡ ଭାରତକୁ ଏହାର ବିତରଣ ମାନଚିତ୍ରରେ ସାମିଲ କରିଛି ।