କନକ ବ୍ୟୁରୋ: ସେଲ୍ ରାଉରକେଲା ଇସ୍ପାତ କାରଖାନାର ଅଗ୍ନିଶମ ସେବା ବିଭାଗ ଗୋଟିଏ ନୂତନ ଫୋମ୍ ଫାୟାର ଟେଣ୍ଡର ଏବଂ ଦୁଇଟି ଫାୟାର ମାଷ୍ଟର ଜିପ୍ ସାମିଲ କରି ଏହାର ଜରୁରୀକାଳୀନ ପ୍ରତିକ୍ରିୟା ବାହନସମୂହକୁ ବୃଦ୍ଧି କରିଛି । ଜୁନ୍ ୨୧ ତାରିଖରେ କେନ୍ଦ୍ରୀୟ ଅଗ୍ନିଶମ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମେକାନିକାଲ୍ ଓ ସମ୍ପ୍ର ବିଭାଗର ସିଜିଏମ ଇନ ଚାର୍ଜ ଆର ଏନ୍ ରାଜେନ୍ଦ୍ରନ୍, ସୁରକ୍ଷା ଓ ଅଗ୍ନିଶମ ବିଭାଗର ସିଜିଏମ ଆଶା ଏସ୍ କାର୍ଥା, ପ୍ଲେଟ ମିଲ୍ ବିଭାଗର ସିଜିଏମ ଏଡୁଆ ଓରାମ, ମେକାନିକାଲ୍ ବିଭାଗର ସିଜିଏମ ଡି ପାଲୋ, ଏବଂ ଅଗ୍ନିଶମ ସେବା ବିଭାଗର ଜିଏମ ଜେ ବି ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବାହନଗୁଡ଼ିକୁ କମିଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଯୋଗାଣକାରୀ ମେସର୍ସ ରୋହିତ ଏଣ୍ଟରପ୍ରାଇଜେସ୍ ନୂଆଦିଲ୍ଲୀ ଏବଂ ମେସର୍ସ ଇଣ୍ଟିଗ୍ରେଟେଡ୍ ଫାୟାର ପ୍ରୋଟେକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍, କୋଲକାତାର ପ୍ରତିନିଧୁଙ୍କ ସମେତ ଆରଏସପିର ବହୁ ଅଗ୍ନିଶମ ସେବା କର୍ମଚାରୀ ଉପସ୍ଥିତ ଥିଲେ ।
ନୂତନ ଭାବରେ ସାମିଲ ହୋଇଥିବା ଯାନଗୁଡ଼ିକ ଅତ୍ୟାଧୁନିକ ଅଗ୍ନି ନିର୍ବାପନ ପ୍ରଣାଳୀ ଏବଂ ପ୍ରକୃମିଟି ସୁଟ୍ ସମେତ ଉନ୍ନତ ଉଦ୍ଧାର ଗିଅର୍ ସହିତ ସଜ୍ଜିତ ଅଟେ । ଉଚ୍ଚ ଦକ୍ଷତା ଏବଂ ଦ୍ରୁତ ପ୍ରତିକ୍ରିୟା ପାଇଁ ଡିଜାଇନ୍ ହୋଇଥୁବା ଏହି ଯାନଗୁଡ଼ିକ ପ୍ଲାଣ୍ଟ ଏବଂ ଟାଉନସିପ୍ ମଧ୍ୟରେ ସଂକୀର୍ଣ୍ଣ ଏବଂ ଭିଡ଼ ଅଞ୍ଚଳଗୁଡ଼ିକୁ ଯାଇ ପାରିବ, ଜରୁରୀକାଳୀନ ସମୟରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବ । ସେମାନଙ୍କର ଉନ୍ନତ ବୈଶିଷ୍ଟ୍ୟଗୁଡ଼ିକ ପ୍ରତିକ୍ରିୟା ସମୟ ହ୍ରାସ କରିବ ଏବଂ ସାମଗ୍ରିକ ଅଗ୍ନି ନିରାପତ୍ତା ଭିତ୍ତିଭୂମିକୁ ଉନ୍ନତ କରିବାରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବ । ଏହି କାର୍ଯ୍ୟକ୍ରମକୁ ଅଗ୍ନିଶମ ସେବା ବିଭାଗର ଡେପୁଟି ମ୍ୟାନେଜର ଶୁଭଦ୍ରତ ସାହୁ ସଂଯୋଜନା କରିଥିଲେ।