କନକ ବ୍ୟୁରୋ: ଉଚ୍ଚଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦ । ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟରେ ଲାଗୁ ହେବାକୁ ଅନୁମୋଦନ ହୋଇଛି । ଯାହା ଉଚ୍ଚଶିକ୍ଷା ପ୍ରଣାଳୀରେ ଅନେକ ପରିବତ୍ତର୍ନ ଆଣିବ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ କଣ ହେବ ପରିବର୍ତ୍ତନ ନଜର ପକାନ୍ତୁ
- ୩ ବର୍ଷ ବଦଳରେ ୪ ବର୍ଷର ସ୍ନାତକ ପାଠପଢ଼ା
- ପ୍ରତ୍ୟେକ ବର୍ଷରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦିଆଯିବ
- ଦକ୍ଷତାବିକାଶ ଓ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ଦିଆଯିବ
- ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଏନ.ସି.ସି, ଏନ.ଏସ.ଏସ, ଆଦି ପାଇଁ କ୍ରେଡ଼ିଟ ଦିଆଯିବ
- ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବିଷୟ ଚୟନ କରିପାରିବେ
- ଏକାଧିକଥର ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରବେଶ ପ୍ରସ୍ଥାନ କରିପାରିବେ
- ଏହା ସହ ୭ ବର୍ଷ ଭିତରେ ନିଜର ପାଠ୍ୟକ୍ରମ ଶେଷ କରିପାରିବେ
ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାକୁ ନୂତନ ଶିକ୍ଷାନୀତି ସହାୟକ ହେବ । କିନ୍ତୁ ବାସ୍ତବିକ କ୍ଷେତ୍ରରେ ଏହାକୁ କାର୍ଯ୍ୟରେ ପରିଣତ କରିବା ବଡ଼ ଚ୍ୟାଲେଞ୍ଜ । କାରଣ, ଶିକ୍ଷାକ୍ଷେତ୍ରରେ ଜାତୀୟ ଶିକ୍ଷାନୀତିକୁ ଲାଗୁ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି । ଏପର୍ଯ୍ୟନ୍ତ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ ନାହାଁନ୍ତି । ଏହାସହ ପିଲା ଥରେ ଶିକ୍ଷାନୁଷ୍ଠାନ ଛାଡ଼ିଲେ ପୁଣି ଶିକ୍ଷାନୁଷ୍ଠାନକୁ ଫେରିବା ବାସ୍ତବରେ କେତେ ସମ୍ଭବ । ଏହି ସବୁ ଦିଗକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦୀର୍ଘ ଚାରି ବର୍ଷ ପରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତି ଲାଗୁ ହେବାକୁ ଯାଉଛି । ଆଗକୁ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାରେ ଏହାକୁ ଲାଗୁ କରିବାକୁ ଯୋଜନା ହେଉଛି । କିନ୍ତୁ ବାସ୍ତବରେ ଏହାକୁ କାର୍ୟ୍ୟକାରୀ କରିବାରେ ରାଜ୍ୟ ସରକାର କେତେ ସଫଳ ହେଉଛନ୍ତି ତାହା ଆଗକୁ ସ୍ବଷ୍ଟ ହେବ ।