କନକ ବ୍ୟୁରୋ: ନୂଆ ଜାତୀୟ ଶିକ୍ଷାନୀତି ଅନୁସାରେ ସିବିଏସଇର ଦୁଇଥର ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ ବଢୁଛି। ଶିକ୍ଷାବିତ୍ ଓ ଅଭିଭାବକ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି । ପିଲାଙ୍କୁ ଚାପମୁକ୍ତ ରଖିବାକୁ କୁହାଯାଉଥିବା ବେଳେ ବର୍ଷକୁ ଦୁଇଥର ପରୀକ୍ଷା ଦ୍ବାରା ଚାପ ବଢ଼ିବ ବୋଲି ମତ ପ୍ରକାଶ ପାଇଛି ।

Advertisment

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷାରେ ସଂସ୍କାର ଆଣିବାକୁ ଯାଉଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ ଦୁଇଥର ଦଶମ ପରୀକ୍ଷା ପାଇଁ ଯୋଜନା କରାଯାଉଛି । ଗୋଟିଏ ବାଧ୍ୟତାମୂଳକ ଏବଂ ଅନ୍ୟଟି ଉଚ୍ଛାଧୀନ। ପିଲା ଉଭୟ ପରୀକ୍ଷା ଦେଇପାରିବେ। ଯେଉଁଥିରେ ଅଧିକ ମାର୍କ ରହିବ, ତାକୁ ଗ୍ରହଣ କରାଯିବ। ଆସନ୍ତା ୯ ତାରିଖ ସୁଦ୍ଧା ଏନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମତାମତ ଦେବେ। ତେବେ ଏହା ପିଲାଙ୍କ ଉପରେ ଚାପ ପକାଇବ ବୋଲି ଅଭିଭାବକ ଓ ଶିକ୍ଷାବିତ  ମତ ରଖିଛନ୍ତି । 
 
ନୂଆ ଜାତୀୟ ଶିକ୍ଷାନୀତି ଲାଗୁ ପରେ ରାଜ୍ୟରେ ଦ୍ବାଦଶ ଶ୍ରେଣୀରେ କେବଳ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପିଲାଙ୍କୁ ଚାପମୁକ୍ତ କରି ଧନ୍ଦାମୂଳକ ଶିକ୍ଷା ଦିଆଯିବ । ଦୁଇଥର ସିବିଏସ୍ଇ ଦଶମ ପରୀକ୍ଷା ହେଲେ ପିଲା ଚାପରେ ରହିବେ । ଦଶମ ପରୀକ୍ଷା ପରେ ଦ୍ଵାଦଶ ଆରମ୍ଭ ପର୍ୟ୍ୟନ୍ତ ପିଲାଙ୍କ ହାତରେ  ଅଧିକ ସମୟ ରହିବ ନାହିଁ। ନୂଆ ଜାତୀୟ  ଶିକ୍ଷାନୀତି ଅନୁସାରେ ଦଶମରେ ଦୁଇଟି ପରୀକ୍ଷା ଦ୍ଵନ୍ଦ୍ବ ବଢ଼ାଇଛି । ଏନେଇ ସ୍ପଷ୍ଟତା ରଖାଯାଉ ବୋଲି ଶିକ୍ଷାବିତ୍ ମତ ରଖିଛନ୍ତି । 

ଦଶମରେ ଦୁଇଟି ପରୀକ୍ଷା ବିଷୟରେ ଘୋଷଣା ହୋଇଥିବାବେଳେ ସବୁ ବିଷୟ ଓ ଭାଷାରେ ପରୀକ୍ଷା ହେବ ନା ନାହିଁ ସେ ନେଇ ଦ୍ୱନ୍ଦ୍ବ ଦେଖାଦେଇଥିଲା । ଡ୍ରାଫ୍ଟ ପଲିସିର ଅଷ୍ଟମ ପଏଣ୍ଟ ବାବଦରେ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ସବୁ ବିଷୟ ଓ ଭାଷାରେ ପୂର୍ବପରି ୨୦୨୫-୨୬ରେ ପରୀକ୍ଷା ହେବ ।  ଓଡିଆ ସମେତ ବିଭିନ୍ନ ଆଂଚଳିକ ଓ ବିଦେଶୀ ଭାଷା ରହିବ ବୋଲି ସିବିଏସଇ ସ୍ପଷ୍ଟୀକରଣ ଦେଇଛି ।