କନକ ବ୍ୟୁରୋ: ଦୁଇ ଦିନ ହେବ ଠିକ୍ ସେ ଶୋଇପାରୁନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯେବେ ଭାରତ ଶିଖର ସମ୍ମିଳନୀରେ ଚୀନ ଓ ରୁଷ୍ ସହ ନିକଟତର ହୋଇଥିବା ଟ୍ରମ୍ପ ଦେଖିଛନ୍ତି ସେବେଠାରୁ ହିଁ ତାଙ୍କୁ ନିଦ ହେଉନଥିବା ଚର୍ଚ୍ଚା ହେଉଛି । ଆଉ ଶୁକ୍ରବାର ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଟ୍ରମ୍ପଙ୍କ ଟ୍ବିଟର ପୋଷ୍ଟ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଥିବା ଦେଖିବାକୁ ମିଳୁଛି । ତ୍ରିଶକ୍ତିଙ୍କ ଏହି ଫଟୋ ପୋଷ୍ଟ କରି ଟ୍ରମ୍ପ ନିଜ ଭୁଲ୍ ପାଇଁ ପଶ୍ଚାତାପ କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କାରଣ ଟ୍ରମ୍ପ ଲେଖିଛନ୍ତି, ଲାଗୁଛି ଚୀନ ଭଳି ବିପଦପୂର୍ଣ୍ଣ ହାତରେ ଭାରତ ଓ ରୁଷିଆକୁ ଆମେ ଦେଇଦେଲୁ । ମୋ ଦୁଇ ବନ୍ଧୁଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି ।
ଠିକ୍ ସେହିପରି ଶନିବାର ସକାଳୁ ସକାଳୁ ନିଦରୁ ଉଠି ମୋଦୀଙ୍କ ନାଁ ଜପ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ଯେଉଁ ମୁହଁରେ ଭାରତର ଅର୍ଥନୀତିକୁ ଡେଡ୍ କହିଥିଲେ କେଜାଣି କାହିଁକି ସେହି ମୁହଁରେ ଭାରତକୁ ପ୍ରଶଂସା ମଧ୍ୟ କରିଛନ୍ତି ଟ୍ରମ୍ପ୍ । ମୋଦୀଙ୍କୁ ମହାନ ବ୍ୟକ୍ତି, ବଡ଼ ପ୍ରଧାନମନ୍ତ୍ରୀ ବୋଲି କହି କରିବାକୁ ବି ସେ ପଛାଇନାହାନ୍ତି । ଭାରତ ସହ ବନ୍ଧୁତା ତୁଟିନି ବରଂ ଏ ସମୟ ଖରାପ ଚାଲିଛି, ଭାରତ ରୁଷ୍ ଠାରୁ ତେଲ କିଣୁଥିବାରୁ ମୁଁ ଭାରତ ଉପରେ ରାଗିଛି ଆଉ ଟାରିଫ୍ ଲଗାଇଛି । ନହେଲେ ଅନ୍ୟ କିଛି କାରଣ ନାହିଁ ବୋଲି ମନଖୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ ।
ବଡ଼ କଥା ହେଉଛି ହଠାତ୍ ଟ୍ରମ୍ପଙ୍କ ଦୋମୁହାଁ ନୀତି ଯୋଗୁଁ ଏବେ ସାରା ବିଶ୍ବରେ ସେ ନିଜେ ଲଜ୍ଜିତ ହେଉଛନ୍ତି । କେତେବେଳେ କ’ଣ କହୁଛନ୍ତି ତା’ର କିଛି ଠିକ୍ ଠିକଣା ନାହିଁ । କେତେବେଳେ ନିଜେ ଭୂତ ହୋଇ ଲାଗୁଛନ୍ତି ତ ଆଉ କେତେବେଳେ ନିଜେ ଗୁଣିଆ ହୋଇ ମଧ୍ୟ ଝାଡ଼ୁଥିବା ଭଳି କାମ କରୁଛନ୍ତି । ତେବେ ଦେଖିବା ଟ୍ରମ୍ପଙ୍କ ଟାରିଫ୍ ଟ୍ରାପରୁ କେବେ ମୁକୁଳି ପାରୁଛି ଭାରତ ଓ ଅନ୍ୟ ଦେଶ ।