କନକ ବ୍ୟୁରୋ: ନେଟୱର୍କ ନଥିବାରୁ ଅସୁବିଧା ଭୋଗୁଛନ୍ତି ୩ହଜାରରୁ ଅଧିକ ଲୋକ । କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତ । ଏଠାରେ ମୋବାଇଲର ନେଟୱର୍କ ନଥିବାରୁ ଅନେକ ସମସ୍ୟା ଭୋଗିବାକୁ ପଡୁଛି । ସ୍କୁଲ, ମେଡିକାଲ କାମରୁ ନେଇ ନିଜର କୌଣସି କାମ ବିନା ନେଟୱର୍କରେ ହୋଇପାରୁନି । ତା ସହିତ ମୋବାଇଲ ନେଟୱାର୍କ ଆସୁନଥିବାରୁ ପାହାଡ଼, ଜଙ୍ଗଲ ଓ ବଡ଼ ଗଛରେ ଚଢି ମୋବାଇଲରେ କଥା ହେଉଛନ୍ତି ଲୋକେ । ଖରା, ବର୍ଷା ଓ ଶୀତ ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ । ଦରକାର ପଡିଲେ ୭ କିଲୋମିଟର ଦୂରକୁ ଯିବାକୁ ପଡୁଛି ନଚେତ୍ ଗଛ ଉପରେ ଚଢି କାମ ଚଳାଉଛନ୍ତି ଗାଁର ଲୋକମା.ନେ ।
ମୋବାଇଲ ସେବା ପାଇଁ ଆଜି ପର୍ୟ୍ୟନ୍ତ କୌଣସି ଟାୱାର ନାହିଁ। ଗାଁ ଲୋକ ୧୦୮ ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ଅଗ୍ନିଶମ ସେବା, ଥାନା, ଇତ୍ୟାଦି ଆବଶ୍ୟକ ଅନୁଷ୍ଠାନର ସେବାରୁ ବଞ୍ଚିତ ହେଉଛନ୍ତି । ଏହି ମୋବାଇଲ ସେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ବି କୌଣସି ସମାଧାନ ହୋଇପାରୁନି । ଖୁବଶୀଘ୍ର ଗାଁରେ ଟାୱାର ବସାଇବା ନେଇ ପୁଣିଥରେ ଅନୁରୋଧ କରାଯାଇଛି ।
ସମୟ ବଦଳୁଥିବା ବେଳେ ଆଜିର ଡିଜିଟାଲ ଯୁଗରେ ବି ଲୋକମାନେ ନେଟୱର୍କ ଯୋଗୁ ସମସ୍ୟା ଭୋଗୁଛନ୍ତି । ଏଥିପ୍ରତି ଗୁରୁତ୍ବ ଦିଆଯିବ ସହ ଖୁବଶୀଘ୍ର ନେଟୱର୍କ ସମସ୍ୟାର ସମାଧାନ କରାଯିବା ଜରୁରୀ ହୋଇଛି ।