କନକ ବ୍ୟୁରୋ: ଗତ ସୋମବାର ନେଦରଲ୍ୟାଣ୍ଡ ଓ ନେପାଳ ମଧ୍ୟରେ ଖେଳାଯାଇଥିଲା ଏକ ରୋମାଞ୍ଚକର ଟି-ଟ୍ୱେଣ୍ଟି ମ୍ୟାଚ୍ । ଏହି ମ୍ୟାଚ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ତିନିଟି ସୁପରଓଭର ପରେ ନେଦରଲ୍ୟାଣ୍ଡ ନେପାଳକୁ ପରାଜିତ କରିଥିଲା । ଗତ ସୋମବାର ସ୍କଟ୍ଲ୍ୟାଣ୍ଡ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା ।
ସ୍କଟ୍ଲ୍ୟାଣ୍ଡ୍ରେ ସ୍କଟ୍ଲ୍ୟାଣ୍ଡ୍-ନେପାଳ-ନେଦରଲ୍ୟାଣ୍ଡ ମଧ୍ୟରେ ତ୍ରିକୋଣୀୟ ସିରିଜ୍ ଖେଳାଯାଉଛି । ଏହି ସିରିଜ୍ର ଏକ ମ୍ୟାଚ୍ ଗ୍ଲାସ୍ଗୋ ଷ୍ଟାଡିୟମରେ ଖେଳାଯାଉଥିଲା । ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ ୧୫୨ ରନ୍ କରିଥିଲା । ନେଦରଲ୍ୟାଣ୍ଡର ବିକ୍ରମଜିତ ସିଂ ଓ ନିଦାମାନୁରୁ ଏହି ମ୍ୟାଚ୍ରେ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଜବାବରେ ନେପାଳ ମଧ୍ୟ ୧୫୨ ରନ୍ କରି ନେଇଥିଲା । କ୍ୟାପ୍ଟେନ୍ ରୋହିତ ପୈଡାଲ ୪୮ ରନ୍ କରିଥିବା ବେଳେ ୩୪ ରନ୍ କରିଥିଲେ କୁଶଲ ଭୁର୍ତେଲ୍ । ସେପଟେ ନେଦରଲ୍ୟାଣ୍ଡ୍ ପକ୍ଷରୁ ଡାନିଏଲ ଡୋରାମ ୩ଟି ୱିକେଟ୍ ନେଇ ମ୍ୟାଚ୍କୁ ରୋମାଞ୍ଚକର କରି ଦେଇଥିଲେ । ଯାହାଫଳରେ ଗୋଟିଏ ପରେ ଗୋଟିଏ ୩ଟି ସୁପରଓଭର ଖେଳାଯାଇଥିଲା । ପ୍ରଥମ ଥର ପାଇଁ କୌଣସି ପୁରୁଷ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ତିନିଟି ସୁପରଓଭର ଖେଳାଯାଇଥିଲା । ୩ ଥର ବିଜୟଦ୍ୱାରକୁ ଆସି ବି ନେପାଳ ବିଜୟ ହାସଲ କରିପାରିନଥିଲା ।
ପ୍ରଥମ ସୁପରଓଭରରେ ନେପାଳ ୧୯ ରନ୍ କରିଥିଲା । କିନ୍ତୁ ଜବାବରେ ମ୍ୟାଚ୍ର ଶେଷ ବଲ୍ରେ ମ୍ୟାଚ୍ ବରାବର କରିନେଇଥିଲା ନେଦରଲ୍ୟାଣ୍ଡ । ଏହାପରେ ଦ୍ୱିତୀୟ ସୁପରଓଭର ନେଦରଲ୍ୟାଣ୍ଡ ୧୭ ରନ୍ କରିଥିଲା । ହେଲେ ନେପାଳର ଦୀପେନ୍ଦ୍ର ସିଂ ହାରି ଶେଷ ବଲ୍ରେ ଛକା ମାରି ପୁଣି ମ୍ୟାଚ୍କୁ ବରାବର କରି ଦେଇଥିଲେ । ତୃତୀୟ ସୁପରଓଭରରେ ନେଦରଲ୍ୟାଣ୍ଡ ବୋଲର ନେପାଳର ଦୁଇଟି ବ୍ୟାଟରଙ୍କୁ ଖାତା ଖୋଲିବା ପୂର୍ବରୁ ହିଁ ଆଉଟ୍ କରି ଦେଇଥିଲେ । ମାତ୍ର ୧ ରନ୍ କରି ଏହି ମ୍ୟାଚ୍କୁ ଜିତି ନେଇଥିଲା ନେଦରଲ୍ୟାଣ୍ଡ ।