କନକ ବ୍ୟୁରୋ: ଗାଜା ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ୟା ଭିତରେ ଗାଜାରୁ ଏଭଳି ଏକ ଦୃଶ୍ୟ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ହୃଦୟବିଦାରକ , ଯାହାକୁ ହମାସ ପକ୍ଷରୁ ଜାରି କରାଯାଇଛି ।
ଭିଡିଓରେ ହମାସର କ୍ରୁରତା ଏବଂ ଗାଜାରେ ଇସ୍ରାଏଲ ବନ୍ଧକଙ୍କ ଉପରେ ଅମାନବୀୟ ଅତ୍ୟାଚାର ପୁଣି ଦୁନିଆ ସାମ୍ନାକୁ ଆସିଛି । ୪୮ ଘଣ୍ଟା ଭିତରେ ଇସ୍ରାଏଲ ବନ୍ଧକଙ୍କ ଦ୍ବିତୀୟ ଭିଡିଓ ଜାରି କରିଛି ହମାସ୍ । ଏପରି ଭିଡିଓ ଇସ୍ରାଏଲବାସୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଚିନ୍ତାରେ ପକାଇଛି ।
ଏଥିରେ ଦେଖିବାକୁ ମିଳିଛି, ୨୦୨୩ ଅକ୍ଟୋବର ୭ରେ ହମାସ୍ ଦ୍ବାରା ଅପହୃତ ହୋଇଥିବା ଇସ୍ରାଏଲ ନାଗରିକ ୨୪ ବର୍ଷୀୟ ଇଭ୍ୟାତର ଡେଭିଡ୍ ଏକ ସଙ୍କୀର୍ଣ୍ଣ ସୁଡଙ୍ଗରେ ମାଟି ଖୋଳୁଛନ୍ତି । ଏଥିରେ ସେ ବେଶ୍ ଦୁର୍ବଳ ଏବଂ ନିର୍ଜୀବ ଦେଖାଯାଉଛନ୍ତି । ଡେଭିଡ୍ ଅତି ଅସୁସ୍ଥ ଅବସ୍ଥାରେ ଦେଖାଯାଉଛନ୍ତି । ଏହା ଦୁନିଆର ସବୁଠୁ ଭୟାବହ ଅବସ୍ଥା । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଡେଭିଡଙ୍କ ପରିବାର ସହ କଥା ହୋଇଛନ୍ତି । ସରକାର ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ମୁକୁଳାଇବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ନେତାନ୍ୟାହୁ କହିଛନ୍ତି ।
ଅନ୍ୟପଟେ ଇସ୍ରାଏଲ ମଧ୍ୟ ହମାସକୁ ଚେତାବନୀ ଦେଇଛି ।ତୁରନ୍ତ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ ନକଲେ ଗାଜାରେ ଅବିରତ ଆକ୍ରମଣ ହେବ ବୋଲି ସେନା ପକ୍ଷରୁ ବୟାନ ଜାରି କରାଯାଇଛି । ଇସ୍ରାଏଲ ସେନା ଅନୁସାରେ, ହମାସ୍ ୨୫୧ ଜଣଙ୍କୁ ଅପହରଣ କରିଥିଲା । ବନ୍ଦୀ ଅଦଳବଦଳ ପରେ ଆଉ ୪୯ ଇସ୍ରାଏଲ ନାଗରିକ ହମାସ୍ କବଳରେ ଥିଲେ । ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି ।