କନକ ବ୍ୟୁରୋ : ସାରାଦେଶରେ ନେତାଜୀ ସୁଭାଷ ବୋଷଙ୍କ ୧୨୮ତମ ଜୟନ୍ତୀ ପାଳନ ହେଉଛି । କିନ୍ତୁ ନେତାଜୀଙ୍କ ମୃତ୍ୟୁର କାରଣ ଆଜିଯାଏଁ ଅସ୍ପଷ୍ଟ ରହିଛି । ନେତାଜୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଶେଷଥର ପାଇଁ ମୁଖାର୍ଜୀ କମିଶନ ଦେଇଥିବା ରିପୋର୍ଟ ମଧ୍ୟ ସରକାରୀ ସ୍ତରରେ ଗ୍ରହଣୀୟ ହୋଇନାହିଁ । କମିଶନ ତଦନ୍ତ ବେଳେ ତାଇୱାନ ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ଜାଣିବାକୁ ପାଇଥିଲେ ଯେ, ୧୯୪୫ ଅଗଷ୍ଟ ୧୮ ଦିନ ପ୍ଲେନକ୍ରାସ ହୋଇ ନଥିଲା ।

Advertisment

ଜାପାନର ଟୋକିଓରେ ନେତାଜୀଙ୍କ ଚିତାଭସ୍ମ ଥିବା ନେଇ ଯେଉଁ ଆଲୋଚନା ହେଉଛି, ତାହାର କୌଣସି ଅସ୍ତିତ୍ୱ ନାହିଁ । ତେଣୁ ନିଷ୍ଠାପର ଭାବେ ନେତାଜୀଙ୍କ ମୃତ୍ୟୁ ରହସ୍ୟର ଅନୁଧ୍ୟାନ ହେବା ଆବଶ୍ୟକ ବୋଲି ମତ ରଖିଛନ୍ତି ନେତାଜୀଙ୍କ ଜୀବନୀ ଉପରେ ଗବେଷଣା କରୁଥିବା ପିନାକ ପାଣି ମହାନ୍ତି ଓ ନେତାଜୀଙ୍କ ଦ୍ଵାରା ଗଠିତ ସେନାବାହିନୀରେ କାର୍ଯ୍ୟ କରିଥିବା ତାମିଲନାଡୁର ଆର୍ ମାଧବନ ।

ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି କୋର୍ଟ, କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ମାମଲା ଜରିଆରେ ନେତାଜୀଙ୍କ ଜନ୍ମ ତାରିଖକୁ ଜାତୀୟ ଦିବସ ଓ ନେତାଜୀଙ୍କ ଜନ୍ମ ସ୍ଥାନକୁ ଜାତୀୟ ସଂଗ୍ରହାଳୟ ଭାବେ ଘୋଷଣା କରାଯାଉ ବୋଲି ମଧ୍ୟ ଆବେଦନରେ ଦର୍ଶାଯାଇଛି । ଏସବୁ ଉପରେ ହାଇକୋର୍ଟଙ୍କ ପଦକ୍ଷେପ କଣ ରହୁଛି ତାହା ମାମଲାର ପରବର୍ତ୍ତୀ ଶୁଣାଣୀ ବେଳେ ଜଣାପଡ଼ିବ ।

ନେତାଜୀ ଜୟନ୍ତୀ ଦିନ ଦେଶବାସୀ ଓ ନେତାଜୀ ପ୍ରେମୀଙ୍କ ଗୋଟିଏ ଆଶା ଯେ, ଯାହାଙ୍କୁ ନେଇ ଏଦେଶ ଏତେ ଗର୍ବିତ ସେହି ମହାନାୟକଙ୍କ ମୃତ୍ୟୁର କାରଣର ରହସ୍ୟରେ ସରକାର କିମ୍ବା ନ୍ୟାୟାଳୟଙ୍କ ଉଦ୍ୟମରେ ପୂର୍ଣ୍ଣଛେଦ ପଡ଼ୁ ।