କନକ ବ୍ୟୁରୋ :" ତୁମେ ମୋତେ ରକ୍ତ ଦିଅ, ମୁଁ ଦେବି ସ୍ୱାଧୀନତା",
ଏ ଆହ୍ବାନେ ଥରିଥିଲା ଗୋରାଙ୍କ ସାମ୍ରାଜ୍ୟ
ମୃତ୍ୟୁ ପରେ ବି ତୁଟିନି ରହସ୍ୟ,
ତୁମେ ଚିର ଅମର ହେ ବୀର ପୁରୁଷ ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ…ଏହି ନାଁରେ ଯେତେ ପରାକ୍ରମ ରହିଛି ସେତେ 'ରହସ୍ୟ' ଶବ୍ଦଟି ମଧ୍ୟ ଯୋଡ଼ି ହୋଇ ରହିଛି । କାରଣ ତାଙ୍କ ମୃତ୍ୟୁକୁ ନେଇ ଆଜିବି ସମସ୍ତଙ୍କ ମନରେ ରହିଛି ସନ୍ଦେହ, ଆଶା-ଆଶଙ୍କା । ସରକାରୀ ତଥ୍ୟ କୁହେ ୧୯୪୫ ଅଗଷ୍ଟ ୧୮ରେ ତାଙ୍କର ମୃତ୍ୟୁ ଏକ ବିମାନ ଦୁର୍ଘଟଣାରେ ହୋଇଥିଲା, କିନ୍ତୁ ଅନେକ ତଥ୍ୟ ଏହାକୁ ଏକ ହତ୍ୟାକାଣ୍ଡ କିମ୍ବା ରହସ୍ୟମୟ ଅନ୍ତର୍ଦ୍ଧାନ ବୋଲି ସନ୍ଦେହ ସୃଷ୍ଟି କରେ । ନେତାଜୀଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ଓ ଷଡ଼ଯନ୍ତ୍ର ଥିଓରୀ ରହିଛି, ଯାହା ବିମାନ ଦୁର୍ଘଟଣା ତଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ୧୯୯୯ ମସିହାରେ ଗଠିତ ଜଷ୍ଟିସ୍ ମନୋଜ କୁମାର ମୁଖାର୍ଜୀଙ୍କ ନେତୃତ୍ୱରେ ତଦନ୍ତ ଆୟୋଗ ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ କହିଥିଲେ ଯେ, ନେତାଜୀଙ୍କର ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇନଥିଲା । କାରଣ, ସେହି ଦିନ ତାଇୱାନରେ କୌଣସି ବିମାନ ଦୁର୍ଘଟଣା ଘଟି ହିଁ ନଥିଲା । ମୁଖାର୍ଜୀ ଆୟୋଗ ଏହା ମଧ୍ୟ କହିଥିଲେ ଯେ ରେଙ୍କୋଜି ମନ୍ଦିରରେ ଥିବା ଅସ୍ଥି ନେତାଜୀଙ୍କର ନୁହେଁ, ବରଂ ତାହା ଜଣେ ଜାପାନୀ ସୈନିକ ଇଚିରୋ ଓକୁରାଙ୍କର ହୋଇପାରେ । ନେତାଜୀଙ୍କ ଝିଅ ଅନିତା ବୋଷଙ୍କ ସମେତ ତାଙ୍କ ପରିବାରର ଅନେକ ସଦସ୍ୟ ଏହି ରହସ୍ୟର ସମାଧାନ ପାଇଁ ଅସ୍ଥିର ଡିଏନଏ ପରୀକ୍ଷା ପାଇଁ ଏ ପର୍ଯ୍ୟନ୍ତ ଦାବି କରିଆସୁଛନ୍ତି ।
ଅନେକ ବିଶ୍ୱାସ କରନ୍ତି ଯେ ନେତାଜୀ ବିମାନ ଦୁର୍ଘଟଣାର ନାଟକ କରି ବ୍ରିଟିଶ ଓ ଆମେରିକୀୟ ସେନା ହାତରୁ ବର୍ତ୍ତିବା ପାଇଁ ଋଷକୁ ପଳାୟନ କରିଥିଲେ । କିଛି ତଥ୍ୟ ଅନୁଯାୟୀ, ସେଠାରେ ତାଙ୍କୁ ବନ୍ଦୀ କରି ରଖାଯାଇଥିଲା । ଆଉ ଏକ ପ୍ରଚଳିତ ତଥ୍ୟ ହେଉଛି, ନେତାଜୀ ଭାରତ ଫେରିଆସି ଉତ୍ତର ପ୍ରଦେଶର ଫୈଜାବାଦରେ ବେଶ ବଦଳାଇ ଜଣେ ସାଧୁ ଭାବେ ଜୀବନ ବିତାଉଥିଲେ । ତେବେ ମୁଖାର୍ଜୀ ଆୟୋଗ ଏହି ଦାବିକୁ ଖାରଜ କରିଦେଇଥିଲେ । ନେତାଜୀଙ୍କୁ ନେଇ ଆଜିବି ଅନେକ ପ୍ରଶ୍ନ ମନରେ ଆସେ । ଯଦି ନେତାଜୀଙ୍କ ମୃତ୍ୟୁ ହୋଇଥିଲା, ତେବେ ତାଙ୍କ ପାର୍ଥିବ ଶରୀରର କୌଣସି ଫଟୋ କାହିଁକି ନିଆଯାଇ ନଥିଲା ? ଦୁର୍ଘଟଣାର କୌଣସି ଦସ୍ତାବିଜ କାହିଁକି ନଥିଲା ? ସତରେ କ’ଣ ଯୁଗ ଯୁଗ ପାଇଁ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଯିବ ?
ଆଜି ଦେଶ ନେତାଜୀଙ୍କ 79ତମ ପୂର୍ଣ୍ଣ୍ୟତିଥି ପାଳନ କରୁଥିଲେ ମଧ୍ୟ, ନେତାଜୀଙ୍କ ମୃତ୍ୟୁ କେମିତି ହେଲା ? କେଉଁଠି ହେଲା ? ଏସବୁ ଏବେ କେବଳ 'ରହସ୍ୟ' ଶବ୍ଦରେ ସମାହିତ ହୋଇ ରହିଛି ।