କନକ ବ୍ୟୁରୋ : ୨୩ରେ ନେତାଜୀ ଜୟନ୍ତୀ । ପାଳନ ହେବ ପରାକ୍ରମ ଦିବସ । କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମପୀଠ ଓ ସଂଗ୍ରହାଳୟକୁ ସଜେଇ ଦିଆଗଲାଣି । ଗ୍ୟାଲେରିରୁ ଉଦ୍ୟାନ ଯାଏଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନେତାଜୀ ଜୟନ୍ତୀକୁ ଏଥର କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାକ୍ରମ ଦିବସ ରୂପେ ପାଳନ କରାଯିବ । ଉତ୍ସବରେ କେନ୍ଦ୍ର ସଂସ୍କୃତି ସଚିବ, ଏଏସଆଇ ମହାନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସୁଭାଷ ଜୟନ୍ତୀକୁ ତିନିଦିନିଆ ପରାକ୍ରମ ଦିବସ ଭାବେ ପାଳନ ପାଇଁ କଟକ ସତ୍ୟବ୍ରତ ଷ୍ଟାଡିୟମରେ ବିଶେଷ ଆୟୋଜନ କରାଯାଉଛି । ସବୁଠି ଦେଖିବାକୁ ମିଳିବ ଓଡ଼ିଆ କଳା ଓ ସଂସ୍କୃତିର ଝଲକ । ନେତାଜୀଙ୍କ ବାଲ୍ୟ ଜୀବନ, ଶିକ୍ଷା ଓ କଟକରେ କଟିଥିବା ମୁହୂର୍ତ୍ତ ନେଇ ସମସ୍ତଙ୍କୁ ଅବଗତ କରାଯିବ । ସତ୍ୟବ୍ରତ ଷ୍ଟାଡିୟମରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ପ୍ରାୟ ୧୫ ଫୁଟ୍ ଉଚ୍ଚ ଓ ୩୦ ଫୁଟ୍ ଲମ୍ବର ବାଲୁକା ମୂର୍ତ୍ତି ନିର୍ମାଣ କରୁଛନ୍ତି । ନେତାଜୀ ଜୟନ୍ତୀ ପାଇଁ କଟକ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି ।