କନକ ବ୍ୟୁରୋ: କେନ୍ଦୁଝର, ଖଲ୍ଲିକୋଟ, ବଲାଙ୍ଗୀର ଅଶାନ୍ତ ହୋଇପଡିଛି । ରାଜ୍ୟର ୩ଟି ସ୍ଥାନରେ ବୀଭତ୍ସ ହତ୍ୟା ଚାଂଚଲ୍ୟ ସୃଷ୍ଟି କରିଛି । ସବୁଠାରୁ ହୃଦୟବିଦାରକ ହତ୍ୟାକାଣ୍ଡର ଖବର ଆସିଛି କେନ୍ଦୁଝର ଜିଲ୍ଲାରୁ ।
ଟାଙ୍ଗିଆରେ କକାର ମୁଣ୍ଡକାଟି ବ୍ୟାଗରେ ପୁରାଇ ଶୁଆକାଟି ଫାଣ୍ଡିରେ ପୁତୁରାର ଆତ୍ମସମର୍ପଣ କରିବାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ, ବାଂଶପାଳ ବ୍ଲକ ସଦର ଥାନା ତଳକଇଁସାରୀ ଗାଁର ହରି ଦେହୁରୀ । କିଛିଦିନ ଧରି ଉଭୟ ହରି ଦେହୁରୀ ଓ କବି ଦେହୁରୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଗତକାଲି ରାତିରେ ଦଣ୍ଡନାଚ ଦେଖିବାକୁ ଉଭୟ ହରି ଦେହୁରୀ ଓ କବି ଦେହୁରୀ ଯାଇଥିଲେ । ସେଠାରୁ ଫେରିବା ବାଟରେ ରାତିରେ ହରି ଦେହୁରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା କବି ଦେହୁରୀ।
ସୁଧ କାରବାରରୁ ହତ୍ୟା !
ବଲାଙ୍ଗୀର ସରଗାଡ଼ ଗାଁରେ ଜଣକୁ ପିଟି ପିଟି ହତ୍ୟା ଘଟଣାର ୨୪ ଘଣ୍ଟା ନ ପୂରୁଣୁ ସହରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଚିମିନିଭାଟି ପଡାଠାରେ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ ପଡାବାସୀ । ମୃତକ ଚିମିନିଭାଟି ଅଞ୍ଚଳର ରାମ ଦାସ । ପାରିପାର୍ଶ୍ୱିକ ସ୍ଥିତିରୁ ରାମଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଜେଲ ଫେରନ୍ତା ସାନ ଭାଇକୁ ହତ୍ୟା କଲା ବଡ ଭାଇ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବାଦପଲ୍ଲୀ ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଗାଁର କୈଳାସ ରାଉତ ନିଜ ସାନଭାଇ ଲିପୁନ ରାଉତକୁ ହତ୍ୟା କରିଛି । କୌଣସି କାରଣରୁ ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସାନ ଭାଇର ହାତକୁ ଏକ ଗାମୁଛାରେ ବାନ୍ଧି ଘର ଆଗରେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ବଡଭାଇ । ପୁଲିସ ଅଭିଯୁକ୍ତ କୈଳାସକୁ ଗିରଫ କରିଛି ।