କନକ ବ୍ୟୁରୋ: ଅନ୍ଧ ବିଶ୍ୱାସର କରୁଣ ପରିଣତି । ପୁତୁରା ସାଜିଲା ବଡ ମା’ ର ହତ୍ୟାକାରୀ । ପୁତୁରାର କୁରାଢ଼ି ଚୋଟରେ ଟଳିପଡିଲେ ବଡ ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଯୋଡ଼ିଆ ଗାଁରେ । ଡାହାଣୀ ସନ୍ଦେହରେ ନିଜ ବଡ ମା’ଙ୍କୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ପୁତୁରା । ମୃତକ ବଡ ମା ହେଲେ ଯୋଡ଼ିଆ ଗାଁର ସାକ୍ର ହେମ୍ବ୍ରମ୍ । ବଡ ମା ଗୁଣିଗାରେଡି କରି ଅଭିଯୁକ୍ତ ଦୁଲା ହେମ୍ବ୍ରମଙ୍କ ପରିବାରରେ ଅଶାନ୍ତି ସୃଷ୍ଟି କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଏଥିପାଇଁ ଅନେକ ଥର ବଡ ମା’ ଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ପୁତୁରା । ଆଜି ଏକୁଟିଆ ସୁଯୋଗ ପାଇ ବଡ ମା’ଙ୍କ ଘରେ ପଶି କୁରାଢ଼ିରେ ହାଣି ହତ୍ୟା କରି ବିଶୋଇ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁତୁରା । ଖବର ପାଇ ବିଶୋଇ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।