କନକ ବ୍ୟୁରୋ : ଆଖିରୁ ଧାର ଧାର ଲୁହ ବୋହି ଯାଉଛି । ଭଲ କରି କଥା କହି ପାରୁନାହାନ୍ତି । ମୁହଁ ସାରା କ୍ଷତ । ମାଡ଼ରେ ମୁହଁ କଳା ପଡ଼ିଯାଇଛି । ତାଙ୍କ ସହ ଯେଉଁ ଘଟଣା ଘଟିଛି, ତାହା କେହି କେବେ ସ୍ୱପ୍ନରେ ଭାବି ପାରିବେନି । ନାଁ ତାଙ୍କର ସୁଷମା ମିଶ୍ର । ଭୁବନେଶ୍ୱର ଶୈଳେଶ୍ରୀ ବିହାରର ବାସିନ୍ଦା। ସେଦିନ ଥିଲା ଶୁକ୍ରବାର ଜୁଲାଇ ୦୪ ତାରିଖ । ସମୟ ପ୍ରାୟ ସକାଳ ସାଢ଼େ ୫ଟା । ହଠାତ ଘର ଭିରକୁ ପଶିଗଲେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ । ସୁଷମାଙ୍କ ମୁହଁ ଉପରେ ତକିଆ ପକାଇ ଅଣନିଶ୍ବାସୀ କରିଦେଲେ । ଘର ଭିତରେ ଘୋଷାଡ଼ି ଘୋଷାଡ଼ି ପିଟିଲେ । ଚିତ୍କାର କରିବାରୁ ତଣ୍ଟିକୁ ଚିପି ଧରି ମୁହଁକୁ ମୁଥ ପରେ, ମୁଥ ମାରି ଚାଲିଲେ । ପିନ୍ଧିଥିବା ସୁନା ଅଳଙ୍କାର ଛଡ଼ାଇ ନେଲେ । ଖାଲି ସେତିକି ନୁହେଁ ଘର ଭିତରେ କଳାକନା ବୁଲାଇବା ସହ ଏକ କାରରେ ଫେରାର ହୋଇଗଲେ । ଆଉ ଏହି ଛାତିଥରା କାହାଣୀ ପଛର ଖଳନାୟକ ଥିଲା ନିଜ ପୁତୁରା । ଅଭିଯୁକ୍ତ ଅନନ୍ତ ପଣ୍ଡା ସୁଷମାଙ୍କ ଘରେ ୧୫ ବର୍ଷ ଧରି ରହି ଆସୁଥିଲା । ତାକୁ ପାଠ ପଢ଼ାଇ ମଣିଷ କରିବାର ସ୍ୱପ୍ନ ଦେଖୁଥିଲେ ସୁଷମା । ହେଲେ ଟଙ୍କା ଲୋଭୀ ଅନନ୍ତ ପିଉସୀଙ୍କ ଅଣ୍ଟିର ଛୁରୀ ସାଜି ତଣ୍ଟି କାଟିଦେଲା ।
ତେବେ ରାଜଧାନୀରେ ଘର ଭିତରେ ଘଟିଥିବା ଚର୍ଚ୍ଚିତ ଅପରାଧ ଉପରେ ଆସନ୍ତୁ ନଜର ପକାଇବା ।
- ୨୦୧୩ ମସିହାରେ ରସୁଲଗଡ଼ରେ ବଚନ ସୁଦ୍ଧା ହତ୍ୟାକାଣ୍ଡ
ଟଙ୍କା ପାଇଁ ସିକ୍ୟୁରିଟି ଗାର୍ଡ ଦୀପ୍ତି ରଞ୍ଜନ ପଟ୍ଟନାୟକ, ଘର ଭିତରେ ମାଲିକାଣୀ ବଚ୍ଚନ ସୁନ୍ଧାଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା ।
- ୨୦୧୫ ମସିହାରେ ଡାକ୍ତର ଦମ୍ପତିଙ୍କୁ ଘର ଭିତରେ ହତ୍ୟା
ଟଙ୍କା ଲୁଟ୍ ପାଇଁ ଡାକ୍ତର ପ୍ରଫୁଲ୍ଲ ମିଶ୍ର ଏବଂ ତାଙ୍କ ପତ୍ନୀ ସୁଷମା ମିଶ୍ରଙ୍କୁ ହତ୍ୟା କରିଥିଲେ ଘରେ କାମ କରୁଥିବା ମହିଳା । ଘର ଭିତରେ ଉଭୟଙ୍କ ମୁଣ୍ଡକୁ ଛେଚିବା ସହ ତଣ୍ଟି କାଟି ହତ୍ୟା କରିଥିଲେ ।
- ୨୦୧୨ ମସିହାରେ ଆଚାର୍ଯ୍ୟ ବିହାରରେ ଦମ୍ପତିଙ୍କୁ ହତ୍ୟାକାଣ୍ଡ
ଟଙ୍କା ପାଇଁ କେୟାରଟେକର ୪ ଅଭିଯୁକ୍ତଙ୍କ ସହ ମିଶି ଘର ଭିତରେ ପଶି ମୁଣ୍ଡକୁ ପିଟି ପିଟି କୁଞ୍ଜ ବିହାରୀ ପାଣିଗ୍ରାହୀ ଓ ପତ୍ନୀ ଜ୍ୟୋସ୍ନା ପାଣିଗ୍ରାହୀଙ୍କୁ ହତ୍ୟା କରିଥିଲେ । ଆଉ ଏବେ ଟଙ୍କା ପାଇଁ ପିଉସୀଙ୍କ ଜୀବନ ନେବାକୁ ଯାଉଥିଲା ପୁତୁରା। ଅଳ୍ପକେ ବର୍ତ୍ତିଛନ୍ତି ସୁଷମା ।
ଭୁବନେଶ୍ୱରରେ ରହୁଥିବା ଚାକଚକ୍ୟ ଚେହେରା ପଛରେ କେତେ ଯେ ମଣିଷରୂପୀ ରାକ୍ଷସ ଭରି ରହିଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ । କେବଳ ବଡ଼ ସହର ନୁହେଁ ଏହି ଘଟଣା ଆଗକୁ ଅନେକ ସହର ଗାଁ ଗହଳିରେ ଯେ ନଘଟିବ ଏକଥା କିଏ ବା କହିବ । ରାତିରେ ଶୋଇବା ବେଳେ ଏବେ ଗୋଟିଏ ପ୍ରଶ୍ନ ମନକୁ ନିଶ୍ଚୟ ଆସିବ ସକାଳୁ ଉଠିଲା ବେଳକୁ ମୋ ପରିବାର କେତେ ସୁରକ୍ଷିତ ।