କନକବ୍ୟୁରୋ : କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା । କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ । ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ । ମାର୍ଚ୍ଚ ୬ରୁ ୮ ତାରିଖ ଦୁଇ ଦିନ ତଦନ୍ତ କରିଥିଲେ ଏନ୍ଏଚ୍ଆର୍ସିର ଦୁଇଜଣିଆ ଟିମ୍ ।
ତଦନ୍ତ ରିପୋର୍ଟ ଦାଖଲ ପରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି । କିଟ୍ ବିଶ୍ବବିଦ୍ୟାଳୟର ଆଇଆରଓ, ବିଶ୍ବବିଦ୍ୟାଳୟର ଶୃଙ୍ଖଳାଗତ କମିଟି ତଥା କଲେକ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନଏଚଆରସି ଦର୍ଶାଇଛନ୍ତି । ଫେବୃଆରୀ ୧୭ ତାରିଖରେ ପ୍ରାୟ ୧୧ଶହ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିଥିଲେ।
ଯାହା ବିଶ୍ବବିଦ୍ୟାଳୟର ଅଧିକାରୀମାନେ ସ୍ବୀକାର କରିଥିବା ରିପୋର୍ଟରେ ରହିଛି । କଲେଜ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଆଦୌ ଚିନ୍ତା କରିନଥିଲେ ଏବଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା ବୋଲି ଏନଏଚଆରସି ଉଲ୍ଲେଖ କରିଛନ୍ତି । ଘଟଣାରେ ଚାରି ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଅଗ୍ରଗତି ବାବଦରେ ଭୁବନେଶ୍ବର-କଟକ ପୋଲିସ କମିଶନରଙ୍କୁ ଜଣାଇବା ପାଇଁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି।