ମଣିଷ ନିଜ ଜୀବନରେ ଯେତେ ଉପର ସୋପାନକୁ ଚଢୁ ନା କାହିଁକି ମନ ଭିତରେ ପିଲାବେଳର ସ୍ମୃତି ସବୁବେଳେ ଉବୁଟୁବୁ ହେଉଥାଏ । ସେ ପିଲାଳିଆମୀ ସମୟ , ସ୍କୁଲ୍ ସମୟର ସାଙ୍ଗ ଆଉ ନିର୍ଭେଜାଲ୍ ଭଲପାଇବା କ’ଣ ଭୁଲିବା ଏତେ ସହଜ । ସ୍କୁଲରେ ଗୁରୁଜୀ ହୋମୱାର୍କ ଦେଇଥିଲେ ଯଦି ଭୁଲବଶତଃ ସାଙ୍ଗଟି ହୋମୱାର୍କ କରିନି ମାଡ଼ ଖାଇବାରୁ ବଞ୍ଚିବାକୁ କେତେ ଯେ ବାହାନା ବାହାର କରୁଥିଲେ ସାଙ୍ଗ , ମନେ ପଡ଼ିଲେ ମନଟା କାଇଁ ମୁରୁକି ହସେ । ସ୍କୁଲ୍ ପରେ କଲେଜ୍ , କଲେଜ୍ ପରେ ୟୁନିଭର୍ସିଟି ଆଉ ଉଚ୍ଚଶିକ୍ଷା ଶେଷ ପରେ ଚାକିରି ବେଳେ ଅନେକ ମଣିଷଙ୍କ ସଂସ୍ପର୍ଶରେ ଆମେ ଆସୁ ଯାହାଙ୍କୁ ସାଙ୍ଗ ବୋଲି ସମ୍ବୋଧନ କରୁ । କିନ୍ତୁ ସ୍କୁଲ୍ ବେଳର ବନ୍ଧୁତା ପାଇବା କ’ଣ ସତରେ ଏତେ ସହଜ ? ଆମେ ଆଜି ଆପଣଙ୍କୁ ସ୍କୁଲ୍ ବେଳର ଦୋସ୍ତି ବିଷୟରେ ଏଥିପାଇଁ ପ୍ରାଞ୍ଜଳ ଭାବେ କହୁଛୁ କାରଣ ନେପାଳର ଏକ ସ୍କୁଲର ସହପାଠୀମାନେ ନିଜ ସାଙ୍ଗ ପାଇଁ ଯାହା କରିଛନ୍ତି ତାହା ଆପଣ ବି ଦେଖିଲେ କହିବେ ‘ହାଓ କ୍ୟୁଟ୍’ ।
ନେପାଳର ଏକ ସ୍କୁଲରୁ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ , ଗୋଟିଏ କ୍ଲାସରୁମରେ ଶିକ୍ଷୟିତ୍ରୀଙ୍କୁ କିଛି ପିଲା ଟଙ୍କା କଲେକ୍ସନ୍ କରି ହାତରେ ଆଣି ଦେଉଛନ୍ତି । ଶିକ୍ଷୟିତ୍ରୀ ପଚାରୁଛନ୍ତି , ‘ଏ ଟଙ୍କା କ’ଣ ପାଇଁ ଦେଉଛ ? ’ ସେତେବେଳେ ସବୁ ପିଲା କହୁଛନ୍ତି , ‘ମିସ୍ ଏ ଟଙ୍କା ପ୍ରିନ୍ସର ପିକନିକ୍ ଫିସ୍ ।’ ପ୍ରିନ୍ସ ଉକ୍ତ କ୍ଲାସର ଜଣେ ଛାତ୍ର ଯାହାଙ୍କ ବାପା, ମା’ ଜୁସ୍ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ପୁଅର ପିକନିକ୍ ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ପଡ଼ିଲା । କୁନିପୁଅଟିର ପିକନିକ୍ ଯିବାକୁ ଇଚ୍ଛା ଥିଲେ ବି ପରିବାରର ଅଭାବ ଦେଖି ସେ ମନା କରିଦେଇଥିଲେ ।
/kanak/media/media_files/2025/02/10/ey72wbTVU4vO4Qu3A3B3.jpg)
କିନ୍ତୁ ଏହି କଥା ସାଙ୍ଗମାନେ ଜାଣିବା ପରେ ପ୍ରିନ୍ସ ପାଇଁ ନିଜ ଭିତରେ କଥା ହୋଇ ଟଙ୍କା କଲେକ୍ସନ୍ କରିବା ଆରମ୍ଭ କରିଦେଲେ । ଆଉ ତାପରେ ସବୁ ପଇସା ମିସ୍ ଙ୍କ ହାତରେ ଧରାଇଦେଲେ । ବାଳୁତ ପିଲାଙ୍କର ଏଭଳି କାମ ଦେଖି ଶିକ୍ଷୟିତ୍ରୀ ମଧ୍ୟ ଭାବୁକ ହୋଇଗଲେ ଏବଂ ପିଲାଙ୍କୁ ଟଙ୍କା ଫେରାଇ କହିଲେ , ମୁଁ ପ୍ରିନ୍ସର ଫିସ୍ ଦେଇଦେବି ତୁମମାନଙ୍କୁ ପକେଟ୍ ମନି ଦେବା ଦରକାର ନାହିଁ । କିନ୍ତୁ ସ୍ବାଭିମାନୀ ସାଙ୍ଗଙ୍କ ବିଚାର ଦେଖନ୍ତୁ ଶିକ୍ଷୟିତ୍ରୀଙ୍କଠାରୁ ଟଙ୍କା ନେବାକୁ ମନା କରିଦେଲେ ପିଲା । ଆଉ ସାଙ୍ଗମାନଙ୍କର ଏଭଳି ପ୍ରେମ ଦେଖି ପ୍ରିନ୍ସର ଆଖିରୁ ବୋହିଆସିଲା ଲୁହ । ସୋସିଆଲ୍ ମିଡିଆରେ ଏହି ଭିଡ଼ିଓ ଉକ୍ତ ଶିକ୍ଷୟିତ୍ରୀ ସେୟାର୍ କଲେ । ଯେ କେହିବି ଏ ଭିଡ଼ିଓ ଦେଖିଲେ ବାଃ ବାଃ ସାଙ୍ଗ ହେବ ତ ଏମିତି କହି ରିଆକ୍ଟ କଲେ ।