କନକ ବ୍ୟୁରୋ : ନେପାଳର ଯୁବପିଢ଼ି ଆରମ୍ଭ କରିଛନ୍ତି ଆନ୍ଦୋଳନ । ୧୫-୧୬ ବର୍ଷର  ପିଲାମାନେ ରାସ୍ତାକୁ ଓହ୍ଲାଇଛନ୍ତି  । ନେପାଳରେ ସୋସିଆଲ ମିଡିଆ ବ୍ୟାନ ଯୋଗୁଁ Gen-Z ମଧ୍ୟରେ ଏପରି କ୍ରୋଧ ସୃଷ୍ଟି ହୋଇଛି, ଯାହା ବର୍ତ୍ତମାନ ସମଗ୍ର ନେପାଳକୁ ଦୋହଲାଇ ଦେଇଛି । ଏମିତିକି ସଂସଦକୁ ଘେରିଛନ୍ତି ବିକ୍ଷୋଭକାରୀ , ପ୍ରଦର୍ଶନ ଏତେ ଉଗ୍ର ହୋଇଛି ଯେ ସେନାକୁ ଡକାଯାଇଛି । ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଉଛି  । ପ୍ରଦର୍ଶନ ସମୟରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଆନ୍ଦୋଳନର ରୂପ ନେଇଥିବା ଏହି ଅସନ୍ତୋଷ ନେପାଳର କେପି ଓଲି ସରକାର ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ X ଭଳି ୨୬ଟି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆରମ୍ଭ ହୋଇଥିଲା ।

ଶେଷରେ ନେପାଳରେ ସୋସିଆଲ ମିଡିଆ କାହିଁକି ବ୍ୟାନ କରାଗଲା ? 

Advertisment

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ IT ମନ୍ତ୍ରଣାଳୟରେ ପଞ୍ଜୀକରଣ ନ କରିବା ହେତୁ ଗୁରୁବାର, ସେପ୍ଟେମ୍ବର ୪ ରେ ସରକାର ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଭଳି ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଲେ । ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ ଏହି ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପଞ୍ଜୀକରଣ ପାଇଁ ଅଗଷ୍ଟ ୨୮ ରୁ ସାତ ଦିନର ସମୟ ଦିଆଯାଇଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ନେପାଳର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥିବୀ ସୁବ୍ବା ଗୁରୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିଲା । ଏହି ପ୍ଲାଟଫର୍ମଗୁଡ଼ିକ ସୋସିଆଲ ନେଟୱର୍କ ଉପଯୋଗ ପରିଚାଳନା ନିର୍ଦ୍ଦେଶ, ୨୦୨୩ ଅନୁଯାୟୀ ବାଧ୍ୟତାମୂଳକ ପଞ୍ଜୀକରଣ ପ୍ରକ୍ରିୟା ପାଳନ କରୁନଥିଲେ । ମନ୍ତ୍ରଣାଳୟ ନେପାଳ ଦୂରସଞ୍ଚାର ପ୍ରାଧିକରଣକୁ ପଞ୍ଜୀକୃତ ନଥିବା ସୋସିଆଲ ମିଡିଆକୁ ନିଷ୍କ୍ରିୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ।