କନକ ବ୍ୟୁରୋ :  ନେପାଳ ସଂସଦ ଭାଙ୍ଗିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ । ସଂସଦ ଭାଙ୍ଗିବା ସହ ନୂଆ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୨୦୨୬ ମାର୍ଚ୍ଚ ୫ ତାରିଖରେ ହେବ ନିର୍ବାଚନ । ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନକୁ ନେଇ ଗତ ୮ ତାରିଖରେ ରାଜଧାନୀ କାଠମାଣ୍ଡୁରେ ଜୋରଦାର ପ୍ରତିବାଦ କରିଥିଲେ ଜେନ-ଜି । ପରେ ଏହା ଭୟଙ୍କର ଆନ୍ଦୋଳନର ରୂପ ନେଇଥିଲା । ସଂସଦ ଭବନ ସହ ବିଭିନ୍ନ ସରକାରୀ ଭବନ ଜାଳିଦେଇଥିଲେ ପ୍ରତିବାଦ ।

Advertisment

ଏଭଳି ପ୍ରତିବାଦ ପରେ ମାତ୍ର ୪ ଦିନରେ ବଦଳିଗଲା ନେପାଳ ସରକାର ।  ଅଶାନ୍ତ ନେପାଳର ମଙ୍ଗ ଧରିଲେ ସୁଶୀଳା କାର୍କି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ କରାଇଛନ୍ତି ଶପଥ ପାଠ । ଜେନ-ଜିଙ୍କ ଆନ୍ଦୋଳନ ପରେ ଓଲି ସରକାରର ପତନ ଘଟିଥିଲା । ପରେ ସେନା ନିୟନ୍ତ୍ରଣରେ ଶାସନ ଭାର ରହିଥିବା ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁଶୀଲା କାର୍କି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏକଜୁଟ ହେବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଆନ୍ଦୋଳନ କରୁଥିବା ଯୁବବର୍ଗଙ୍କ ପ୍ରଥମ ପସନ୍ଦ ନଥିଲେ ସୁଶୀଳା । କାଠମାଣ୍ଡୁର ମେୟର ବାଲେନ୍ ଶାହ ଥିଲେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ, ଯିଏ ଏହି ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ । କିନ୍ତୁ ବାଲେନ୍ ଦାୟିତ୍ବ ନେବାକୁ ସିଧାସଳଖ ମନା କରିଦେଇଥିଲେ । ଯାହା ପରେ ସୁଶୀଳାଙ୍କ ନାଁ ସାମ୍ବାକୁ ଆସିଥିଲା । ତା’ପରେ ବାଲେନ୍ ମଧ୍ୟ ସୁଶୀଳାଙ୍କୁ ନିଜର ସମର୍ଥନ ଦେଲେ । ଆଉ ଏଥିସହ ନେପାଳରେ ରାଜନୈତିକ ସଂକଟରେ ବିରାମ ଲାଗିଛି । 

  • ସୁଶୀଳା କାର୍କି ହେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ
  • ଶପଥ ପାଠ କରାଇଲେ ରାଷ୍ଟ୍ରପତି ପୌଡ଼େଲ
  • ଜାତୀୟ ସ୍ୱାର୍ଥରେ କାମ କରିବାକୁ ପ୍ରସ୍ତୁତ ବୋଲି କହିଲେ ସୁଶୀଳା କାର୍କି
  • 'ଦେଶ ଏହି ସମୟରେ ଏକ ଅଭୂତପୂର୍ବ ପରିସ୍ଥିତି ଦେଇ ଗତି କରୁଛି'
  • 'ନେପାଳୀମାନଙ୍କୁ ଏକଜୁଟ ହୋଇ ଦେଶ ବିଷୟରେ ଚିନ୍ତା କରିବାକୁ ଅପିଲ୍'
  • 'ଦେଶ ଏକ ଅନ୍ତରୀଣ ସରକାର ପାଇଛି, ଯାହା ଦେଶରେ ନୂତନ ନିର୍ବାଚନ କରିବ'
  • 'ଏହି ଅନ୍ତରୀଣ ସରକାରଙ୍କ କାମ ହେଉଛି ନିର୍ବାଚନ ପରିଚାଳନା କରିବା' 
  • 'ଦେଶକୁ ଏକ ନୂତନ ଜନାଦେଶ ଦେବା ଅନ୍ତରୀଣ ସରକାରର ମୁଖ୍ୟ ଉଦ୍ଦେଶ୍ୟ ରହିବ'

ଏବେ ଆସନ୍ତୁ ନଜର ପକାଇବା ଜେନ-ଜି’ର ଦାବି କ’ଣ ଥିଲା । 

  • ୬ରୁ ୧୨ ମାସ ମଧ୍ୟରେ ସାଧାରଣ ନିର୍ବାଚନ କରାଯାଉ
  • ଯାହାଫଳରେ ଗଣତନ୍ତ୍ର ପ୍ରତିଷ୍ଠା ସହ ଜନସାଧାରଣ ନିଜ ପସନ୍ଦର ସରକାର ଚୟନ କରିପାରିବେ
  • ନେପାଳର ସଂସଦ ଭଙ୍ଗ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା
  • ଏହି ଦାବିକୁ ଗ୍ରହଣ କରି ସୁଶିଳା କାର୍କୀଙ୍କ ହାତରେ କ୍ଷମତା ଦିଆଯାଇଛି
  • ଅନ୍ୟତମ ପ୍ରମୁଖ ଦାବି ଥିଲା ବେସାମରିକ-ସାମରିକ ସରକାର ଗଠନ
  • ପ୍ରସ୍ତାବ ଅନ୍ତର୍ଗତ ନେପାଳରେ ଏପରି ଏକ ସରକାର ହେଉ, ଯିଏ ଉଭୟ ସାଧାରଣ ନାଗରିକ ଏବଂ ସେନାର ପ୍ରତିନିଧି କରୁଥିବ
  • ଆନ୍ଦୋଳନକାରୀଙ୍କ ପ୍ରତିବାଦର କାରଣ କେବଳ ସୋସିଆଲ ମିଡିଆ ଉପରେ କଟକଣା ନୁହେଁ, ବରଂ ଦୁର୍ନୀତି ଥିଲା ମୁଖ୍ୟ କାରଣ
  • ପୁରୁଣା ଦଳ ଓ ନେତାଙ୍କ ସମ୍ପତ୍ତିର ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ ଦାବି
  • ଏଥିସହିତ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ହିଂସାକାଣ୍ଡର ନିରପେକ୍ଷ ତଦନ୍ତ ଦାବି