କନକ ବ୍ୟୁରୋ: ଭାରତର ଗୋଟିଏ ପରେ ଗୋଟିଏ ପଡ଼ୋଶୀ ଦେଶ ଭୁଶୁଡ଼ିବାରେ ଲାଗିଛି । ପ୍ରଥମେ ଶ୍ରୀଲଙ୍କା, ପାକିସ୍ତାନ ଓ ବାଂଲାଦେଶ ପରେ ଏବେ ନେପାଳରେ ପ୍ରତିକୂଳ ସ୍ଥତି ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ହୋଇଛନ୍ତି ନେପାଳର କାମଚଳା ପ୍ରଧାନମନ୍ତ୍ରୀ । ଶାସକ ଦଳକୁ ଉଜାଡ଼ି ଦେବା ପରେ ଏବେ ନେପାଳକୁ ସଜାଡ଼ିବାକୁ ଚାଲିଛି ଚେଷ୍ଟା । ଏସବୁ ଭିତରେ ନେପାଳ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ଭାରତ ସରକାର ।
ନେପାଳ ସହ ଭାରତର ସମ୍ପର୍କ ଖୁବ୍ ପୁରୁଣା ଓ ପୌରାଣିକ । ଏହି ଦେଶକୁ ପେଟ୍ରୋଲ ଓ ଡିଜେଲ ଯୋଗାଉଛି ଭାରତ । ଉଭୟ ଦେଶର ସୀମା ବି ଖୋଲା ରହିଛି । ବିନା ବାଧାରେ ଦୁଇ ଦେଶର ଲୋକେ ଦୁଇ ଦେଶକୁ ଯା ଆସ କରୁଛନ୍ତି । ଖାଲି ଏତିକି ନୁହେଁ ନେପାଳ ରାଜ ପରିବାରର ଅନେକ ଝିଅ ଭାରତରେ ବିବାହ କରିଥିବାର ନଜିର ଅଛି ।
ରିପୋର୍ଟ ଅନୁସାରେ, ଭାରତରେ କାମ କରୁଛନ୍ତି ପାଖାପାଖି ୩୫ ଲକ୍ଷ ନେପାଳୀ । ନେପାଳର ୩୨ ହଜାର ଗୋରଖା ସୈନିକ ଭାରତୀୟ ସେନାରେ ମୁତୟନ ଅଛନ୍ତି । ଏଥିପାଇଁ ଏକ ସ୍ବତନ୍ତ୍ର ଚୁକ୍ତି ବି ହୋଇଛି । ଏହି ଦେଶ ଚୀନ୍ ଓ ଭାରତ ମଝିରେ ବଫର୍ ରାଷ୍ଟ୍ର ପରି କାମ କରୁଛି ।
ନେପାଳ ଏକ ହିନ୍ଦୁ ବହୁଳ ରାଷ୍ଟ୍ର । ସୀମାର ଉଭୟ ପାଖରେ ରହୁଥିବା ଲୋକଙ୍କ ମଧ୍ୟରେ ଗଭୀର ପାରାବାରିକ ସମ୍ପର୍କ ରହିଛି । ବିନା ଭିସା , ବିନା ପାସପୋର୍ଟରେ ଯିବା ଆସିବା କରୁଛନ୍ତି । ପ୍ରତିବର୍ଷ ନେପାଳର ଲକ୍ଷ ଲକ୍ଷ ଭାରତକୁ ବିଭିନ୍ନ ତୀର୍ଥସ୍ଥାନ ବୁଲିବାକୁ ଆସୁଛନ୍ତି । ଏହାବ୍ୟତୀତ ନେପାଳ ଭାରତର ସବୁଠୁ ବଡ଼ ବ୍ୟବସାୟୀକ ସହଯୋଗୀ । ଗତ ବର୍ଷ ନେପାଳ ସହ ଭାରତ ୭୦୦ କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ କରିଛି ।
ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହ ମଧ୍ୟ ରହିଛି ନେପାଳର ପୁରୁଣା ସମ୍ପର୍କ । ନେପାଳରୁ ଆସେ ମହାପ୍ରଭୁଙ୍କ ପାଇଁ କସ୍ତୁରୀ , ଯାହା ଅତି ଦୁର୍ଲ୍ଲଭ । କିନ୍ତୁ କିଛି ବର୍ଷ ହେବ କିଛି ଆଇନଗତ କଟକଣା ହେତୁ ୨୦୨୨ରୁ ଏହାକୁ ଯୋଗାଇବା ବନ୍ଦ ରହିଛି । କସ୍ତୁରୀ ହେଉଛି ଏକ ବିରଳ ଦ୍ରବ୍ୟ, ଯାହା କୃଷ୍ଣମୃଗ ନାଭିରୁ ମିଳିଥାଏ । ମହାପ୍ରଭୁଙ୍କ ଅଣସର ସମୟରେ ଏହାକୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଏ । ଏହି ଦୁର୍ଲ୍ଲଭ ଦ୍ରବ୍ୟଙ୍କୁ ମହାପ୍ରଭୁଙ୍କ ଲାଗି ପଠାଇଥାନ୍ତି ନେପାଳ ରାଜା। ଏହାସହ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କୃପା ଲାଭ କରିବାକୁ ବିଭିନ୍ନ ସମୟରେ ନେପାଳର ରାଜା, ମନ୍ତ୍ରୀ ଓ ରାଜ ପରିବାର ଆସିଥାନ୍ତି ।
ଏପରି ଏକ ସମ୍ପର୍କ ଭିତରେ ନେପାଳରେ ଘୋର ରାଜନୈତିକ ସଙ୍କଟ ଓ ପ୍ରତିବାଦକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି ।