କନକ ବ୍ୟୁରୋ: ନେପାଳରେ ’Gen Z’ ପୂରା ସରକାରକୁ ଦୋହଲାଇଦେଇଛି । ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିଛି, ୩ ଜଣ ମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ କରିଛି । ଆହୁରି ଅନେକ କିଛି । କିନ୍ତୁ ୟା ଭିତରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଭିତରେ ଭିତରେ ଘଟି ଘଟି ଚାଲିଛି । ନିଜର ମନପସନ୍ଦ ନେତାଙ୍କୁ ଗାଦିରେ ବସାଇବାକୁ ଦାବି କରୁଛନ୍ତି ପ୍ରଦର୍ଶନକାରୀ ତଥା ନେପାଳର ଯୁବଗୋଷ୍ଠୀ । ସେ ନେତା ଜଣକ ହେଉଛନ୍ତି ବାଲେନ ଶାହ, ଯାହାକୁ ସମସ୍ତେ ବାଲେନ୍ଦ୍ର ଶାହ ବୋଲି ଜାଣନ୍ତି ।

Advertisment

କାଠମାଣ୍ଡୁର ମେୟର ବାଲେନ୍ ଶାହ । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ । ଯୁବ ସମାଜର ହୃତସ୍ପନ୍ଦନ ବାଲେନ୍ । ପ୍ରକୃତରେ ନେପାଳ ହିଂସାର ମୁଖ୍ୟ କେନ୍ଦ୍ର ବାଲେନ୍ ବୋଲି ଚର୍ଚ୍ଚା ହେଉଛି । ନେପାଳ ଯୁବକଙ୍କ ପ୍ରିୟ ନେତା ବାଲେନ୍ ।  ଦେଶର ସବୁ ମେୟରଙ୍କଠାରୁ ପୂରା ଭିନ୍ନ ବାଲେନ୍ । ବାଲେନଙ୍କ ପ୍ରଭାବ ଲୋକଙ୍କ ଉପରେ ଏତେ ମାତ୍ରାରେ ପଡ଼ିଛି ଯେ, ଟାଇମ୍ସ ମାଗାଜିନରେ  ହେଉ ବା ଦ ନ୍ୟୁୟର୍କ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କ ଭିତରେ ତାଙ୍କୁ ସ୍ଥାନ ମିଳିଛି । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଖୁବ୍ ଦବଦବା ।

ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ଫଲୋଅର୍ସ ଅଛନ୍ତି । ସେସିଆଲ ମିଡିଆରେ ତାଙ୍କର ପୋଷ୍ଟ ଅନେକ ସମୟରେ ବିତର୍କ ସୃଷ୍ଟି କରିଛି । ତାଙ୍କ ଜୀବନ ଶୈଳୀ, ଷ୍ଟାଇଲ ସବୁକିଛି ନେପାଳ ଯୁବକଙ୍କ ପାଇଁ ରୋଲ ମଡେଲ୍  କହିଲେ ଭୁଲ ହେବନି । ଏହାକୁ ଢାଲ କରି ନେପାଳରେ ଚାଲିଥିବା ଏହି ବଡ଼ ଆନ୍ଦୋଳନକୁ ନିଜ ସମର୍ଥନ ଦେଇ ହାଇଜ୍ୟାକ୍ କରିନେଇଛନ୍ତି ବାଲେନ୍ ଏ ଏପରି ଚର୍ଚ୍ଚା ହେଉଛି ।

ଜଣେ ସିଭିଲ ଇଞ୍ଜନିୟର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ବାଲେନ୍ ।  ପରେ ରାପର୍ ଭାବେ ନିଜ ଭାଗ୍ୟ ପରୀକ୍ଷା କଲେ । ପରେ ରାଜନୀତିକୁ ପ୍ରବେଶ କଲେ ଏବଂ କାଠମାଣ୍ଡୁର ମେୟର ପଦ ପାଇଁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହେଲେ । ରାଜନୀତିରେ ତାଙ୍କ ଅପ୍ରତ୍ୟାଶିତ ସଫଳତା, ଯୁବଗୋଷ୍ଠୀ ମଧ୍ୟରେ ଲୋକପ୍ରିୟତା, ଏବଂ ପାରମ୍ପରିକ ରାଜନୈତିକ ଦଳରୁ ଯୁବଗୋଷ୍ଠୀଙ୍କ ମୋହଭଙ୍ଗ ବାଲେନଙ୍କୁ ମାଇଲେଜ୍ ଦେଲା  ଏବଂ ହିରୋ ବନାଇଦେଲା ।

 ନେପାଳରେ ରାଜନେତାଙ୍କ ପିଲାମାନଙ୍କର ଲଗଜୁରି ଜୀବନଶୈଳୀ ବିରୋଧରେ ସୋସିଆଲ ମିଡିଆରେ #Nepokid  ଟ୍ରେଣ୍ଡ ଆରମ୍ଭ କରିଥିଲେ ବାଲେନ୍ । ଏହାପରେ ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଥିଲେ ଏଠିକାର ନେତା, ମନ୍ତ୍ରୀ, ଯାହାକୁ ଘୋର ବିରୋଧ କରିଥିଲେ ନେପାଳୀ ଯୁବଗୋଷ୍ଠୀ । ଏହା ସହ ରାମାୟଣ କଥା ଉପରେ ଆଧାରିତ ଫିଲ୍ମ ’ ଆଦିପୁରୁଷ’ର ନିର୍ଦ୍ଦଷ୍ଟ ଡାଏଲଗକୁ ବିରୋଧ କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ବାଲେନ୍ । ଏବେ ତାଙ୍କୁ ଦେଶର ଶାସନ ଗାଦିରେ ବାସାଇବାକୁ ଦାବି କରୁଛି ନେପାଳ ଯୁବ ସମାଜ ।