କନକ ବ୍ୟୁରୋ: ନେପାଳରେ ବଢୁଥିବା ହିଂସା ଭିତରେ ପ୍ରଧାନମନ୍ତ୍ରୀ କେପି ଓଲି ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଭବନକୁ କବଜା କରିନିଆଯାଇଛି । ଖାଲି ସେତିକି ନୁହେଁ, ମନ୍ତ୍ରୀମାନଙ୍କ ଘରକୁ ମଧ୍ୟ ଆନ୍ଦୋଳନକାରୀମାନେ ଟାର୍ଗେଟ୍ କରୁଛନ୍ତି । ଯାହା ଫଳରେ ଅନେକ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଆଉ ଏମିତି ଏକ ରାଜନୈତିକ ଅସ୍ଥିରତା ଭିତରେ ନେପାଳ ସେନାର ସେନାଧ୍ୟକ୍ଷ ଦେଶର ଶାସନଭାର ଅସ୍ଥାୟୀ ଭାବେ ନିଜ ହାତକୁ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏହାପରେ ଚର୍ଚ୍ଚାରେ ରହିଛନ୍ତି ନେପାଳର ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ୍ ।
ନେପାଳରେ ବର୍ତ୍ତମାନ ଯେମିତି ସ୍ଥିତି ଲାଗି ରହିଛି, ତା ଭିତରେ ସେନାମୁଖ୍ୟଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି ଏଭଳି ସଂଘର୍ଷ ଜାରି ରହେ, ଆଉ ଦେଶରେ ଅଶାନ୍ତି ଲାଗି ରହେ । ତେବେ ଦେଶର ଶାସନଭାର ସେନା ପ୍ରମୁଖକୁ ଦିଆଯିବା ଏକପ୍ରକାର ପକ୍କା । ତେଣୁ ଏଭଳି ସମୟରେ ଜେନେରାଲ୍ ସିଗଡେଲଙ୍କ ଅନୁଭବ, ଅଭିଜ୍ଞତାକୁ ଦେଖି ତାଙ୍କୁ ନେପାଳର ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି ।
କୁହାଯାଏ ଜେନେରାଲ ସିଗଡେଲଙ୍କ ପାଖରେ ନେତୃତ୍ୱ ନେବାର କୌଶଳ ସହିତ ଉତ୍ତମ ରାଜନୈତିକ ବୁଝାମଣା ମଧ୍ୟ ଅଛି । ନିକଟରେ ନେପାଳର ଅନ୍ତରୀଣ ବ୍ୟବସ୍ଥା, ସୀମା ବିବାଦ ଭଳି ଘଟଣାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜାଣିରଖିବା ଉଚିତ୍ ଯେ, ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ଜନ୍ମ ୧୯୬୭ ମସିହା ଫେବ୍ରୁଆରି ୧ ତାରିଖରେ ନେପାଳରେ ହୋଇଥିଲା । ସୈନ୍ୟ ଶିକ୍ଷା ଏବଂ ଅନୁଭବକୁ ଦେଖି ତାଙ୍କୁ ସେନାରେ ପଦୋନ୍ନତି ମିଳିଛି । ନେପାଳରେ ଜେନେରାଲ୍ ଥିବା ପ୍ରଭୁ ରାମ ଶର୍ମାଙ୍କ ପରେ ସେ ଦେଶର ନୂଆ ସେନାଧ୍ୟକ୍ଷ ହୋଇଥିଲେ ।