କନକ ବ୍ୟୁରୋ: ବିଦ୍ରୋହ ନିଆଁରେ ଜଳୁଥିବା ନେପାଳରେ ଧୀରେଧୀରେ ଫେରୁଛି ଶାନ୍ତି । ଅନେକ ସ୍ଥାନରେ କର୍ଫ୍ୟୁ କୋହଳ କରାଯାଇଛି । ଦେଶର ନିରପତ୍ତା ଓ ଶାନ୍ତି ପାଇଁ ନେପାଳ ସେନା ପକ୍ଷରୁ ଜାରି ରହିଛି ପ୍ରୟାସ । ନେପାଳରେ ଜେନ୍- ଜେଡ୍ ଯୁବକଗୋଷ୍ଠୀଙ୍କ ଆନ୍ଦୋଳନ ଫଳରେ ପି.କେ ଶର୍ମା ଓଲିଙ୍କ ସରକାର ଭାଙ୍ଗି ଯାଇଛି ।  ଆନ୍ଦୋଳନ ଥମିଥିବା ବେଳେ ଏବେ ଅନ୍ତରୀଣ ସରକାର ଗଠନ ପାଇଁ କିଏ ନେତୃତ୍ବ ନେବେ ସେନେଇ ଚାଲିଛି ଆଲୋଚନା ଓ ବୈଠକ । ଏହାରି ଭିତରେ ଦେଶର ପ୍ରମୁଖ ସହରରେ କର୍ଫ୍ୟୁକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । କାଠମାଣ୍ଡୁରେ ବଜାରଗୁଡ଼ିକ ସାମୟିକ ଭାବେ ଖୋଲିଛି । କିନ୍ତୁ ସରକାରୀ ଯାନବାହନ ଚଳାଚଳ ବନ୍ଦ ରହିଛି । ଏବେ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ସେନା । ସେପଟେ ଜେଲରୁ ପଳାଇଥିବା ୫୪ କଏଦୀ ଜେଲକୁ ଫେରିଥିବା ସୂଚନା ମିଳିଛି । 

Advertisment

ଫେରୁଛି ଶାନ୍ତି, ନେତୃତ୍ବ ଦ୍ବନ୍ଦ୍ବ
ନେପାଳରେ ଧୀରେଧୀରେ ଫେରୁଛି ଶାନ୍ତି
ଅନେକ ସ୍ଥାନରେ କର୍ଫ୍ୟୁ କୋହଳ କରାଯାଇଛି
ଦେଶର ନିରପତ୍ତା ଓ ଶାନ୍ତି ପାଇଁ ନେପାଳ ସେନା ପ୍ରୟାସ ଚଳାଇଛି
କାଠମାଣ୍ଡୁରେ ବଜାରଗୁଡ଼ିକ ସାମୟିକ ଭାବେ ଖୋଲିଛି
କିନ୍ତୁ ସରକାରୀ ଯାନବାହନ ଚଳାଚଳ ବନ୍ଦ ରହିଛି
ନୂଆ ନେତୃତ୍ବ ପାଇଁ ଚାଲିଛି ଆଲୋଚନା ଓ ବୈଠକ

ସେପଟେ ବିକ୍ଷୋଭକାରୀମାନେ ନେପାଳ  ସଂସଦ ଭଙ୍ଗ ଓ ସମ୍ବିଧାନ ସଂଶୋଧନ ପାଇଁ ଦାବି କରୁଛନ୍ତି। ଅନ୍ତରୀଣ ସରକାରର  ମୁଖ୍ୟ ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୁଶୀଳା କାର୍କିଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲେ ବି  କିଛି ସାମ୍ୱିଧାନିକ ବାଧା ରହୁଛି। ଅନ୍ୟ ଏକ ଗୋଷ୍ଠୀ ଅନ୍ତରୀଣ ସରକାର ମୁଖ୍ୟ ଭାବେ କୁଲମାନ୍ ଘିସିଂଙ୍କ ନାଁ ପ୍ରସ୍ତାବ  ଦେଇଛନ୍ତି । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍ ସଂବିଧାନ ମାନିବା ଉପରେ ଜୋର ଦେଉଛନ୍ତି। ଯୁବକମାନେ କହୁଛନ୍ତି, ଆମେ ନୂତନ ନେତୃତ୍ୱ ଚାହୁଛୁ। ଅର୍ଥନୈତିକ ଅସ୍ଥିରତା ଓ କର୍ମସଂସ୍ଥାନ ଅଭାବ, ଯୁବକମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରୁଛି ବୋଲି କୁହାଯାଉଛି ।