କନକ ବ୍ୟୁରୋ: ଜାତୀୟ ଶିକ୍ଷାନୀତି NEP ଲାଗୁ ନେଇ ଯେଉଁ ରୂପରେଖ ପ୍ରସ୍ତୁତ ହୋଇଛି ସେ ଅନୁଯାୟୀ, ବର୍ତ୍ତମାନ ଅଙ୍ଗନବାଡ଼ିରେ ରହିବ ଶିଶୁ ବାଟିକା ୧ ଓ ୨ । ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ୩ ରଖିବାକୁ ପ୍ରସ୍ତାବ ଅଛି । କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସୂଚନା ଦେଇ କହିଛନ୍ତି, ଆଗାମୀ ଦିନରେ ଶିଶୁ ବାଟିକା ୧ ଓ ୨କୁ ପ୍ରାଥମିକ ବିଦ୍ୟାଳୟକୁ ଅଣାଯିବ। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ହେବ।

Advertisment

ତେବେ ପ୍ରଶ୍ନ ଉଠୁଛି, ଯଦି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି କରନ୍ତି ତେବେ ଅଙ୍ଗନବାଡ଼ିରେ ପଢ଼ିବେ କିଏ? ୩ ବର୍ଷରୁ ପିଲା ସ୍କୁଲରେ ପଢ଼ିଲେ ଗାଁ ଗାଁରେ ଖୋଲିଥିବା ଅଙ୍ଗନବାଡ଼ିର ଗୁରୁତ୍ୱ କମିଯିବ ନାହିଁ କି? ଆଗାମୀ ଦିନରେ ସରକାର କଣ ଅଙ୍ଗନବାଡ଼ିକୁ ବନ୍ଦ କରିଦେବେ କି? ତେବେ ଏତେ ସବୁ ପ୍ରଶ୍ନ ଭିତରେ, ରାଜ୍ୟରେ ଜାତୀୟ ଶିକ୍ଷାନୀତି NEPର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଆରମ୍ଭ ହୋଇଛି ତିନି ଦିନିଆ କର୍ମଶାଳା। ଏଥିରେ ୧୦+ ୨ ବଦଳରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

  • ୩ରୁ ୮ ବର୍ଷ ଯାଏ ପିଲାଙ୍କୁ ନେଇ ପ୍ରାରମ୍ଭିକ ପର୍ଯ୍ୟାୟ
  • ୮ରୁ ୧୧ ବର୍ଷର ପିଲାଙ୍କୁ ପ୍ରସ୍ତୁତି ପର୍ଯ୍ୟାୟ
  • ୧୧ରୁ ୧୪ ବର୍ଷ ମଧ୍ୟ ପର୍ଯ୍ୟାୟ
  • ୧୪ରୁ ୧୮ ବର୍ଷ ପିଲାଙ୍କୁ ନେଇ ମାଧ୍ୟମିକ ପର୍ଯ୍ୟାୟ

ଏଭଳି ଭାବେ ଶିକ୍ଷା ବ୍ୟବସ୍ଥାକୁ ବିଭାଗୀକରଣ କରାଯିବ। ସେହିପରି ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ। ଏଥିପାଇଁ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରାଯିବ। ଛୋଟ ପିଲାଙ୍କ ଉପରେ କୌଣସି ଚାପ ନଦେଇ ମୌଳିକ ଓ ସଂଖ୍ୟା ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସରକାର ସ୍ଥିର କରିଛନ୍ତି। ଏଥିପାଇଁ ଶିକ୍ଷକ ନିଯୁକ୍ତି ଓ ପାଠ୍ୟ ଉପକରଣ ଯୋଗାଇଦେବେ ସରକାର। 

ସବୁଠାରୁ ବଡ଼କଥା ହେଉଛି, ଆଗାମୀ ଶିକ୍ଷାବର୍ଷ ଅର୍ଥାତ ୨୦୨୬ରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁହେବ। ଏଥିପାଇଁ ଶିକ୍ଷକମାନଙ୍କୁ ତାଲିମ ଦିଆଯିବା ସହ ଭିତ୍ତିଭୂମିରେ ସୁଧାର ଆସିବ। କିନ୍ତୁ ଶିକ୍ଷକ ନିଯୁକ୍ତି ଭଳି ବଡ଼ ଆହ୍ୱାନ ବି ରହିଛି। ତେଣୁ କେବେ ସରକାରଙ୍କ ଆନୁସଙ୍ଗିକ ପ୍ରସ୍ତୁତି ସରିବ ଓ ନୂଆ ବ୍ୟବସ୍ଥାକୁ ଲାଗୁ କରିବା ସମ୍ଭବ ହେବ ତା ଉପରେ ନଜର ରହିଛି।