କନକ ବ୍ୟୁରୋ: ବଲୁଚିସ୍ତାନରେ ପାକିସ୍ତାନ ବିରୋଧୀ ନାରା । ବଲୁଚିସ୍ତାନର ନେତା ପାକିସ୍ତାନ ବିରୋଧରେ ବୟାନବାଜି କରୁଥିବା ଦେଖିବାକୁ ମିଳୁଛି । ଗୋଟେ ପଟେ ପାକିସ୍ତାନ ଭାରତ ସହ ଯୁଦ୍ଧ କରିବା କଥା କହୁଛି । ଅନ୍ୟପଟେ ନିଜ ଦେଶରେ ହିଁ ବିରୋଧର ସମ୍ମୁଖୀନ ହେଉଛି । ବଲୁଚିସ୍ତାନର ନେତା ପାକିସ୍ତାନକୁ ତାର ପରାଜୟ କଥା ମନେ ପକାଇବା ସହ ପାକିସ୍ତାନ କିଭଳି ନିଜ ଲୋକମାନଙ୍କୁ ନିର୍ଯାତନା ଦେଉଥିଲା ତାହାକୁ ମନେ ପକାଇଦେଇଛନ୍ତି ।

Advertisment

ସେହିପରି ଇସଲାମାବାଦର ଲାଲ୍ ମସଜିଦ୍‌ର ପ୍ରମୁଖ ମୌଲାନା ଅବଦୁଲ୍ ଅଜିଜ୍ ଘାଜୀ ନିକଟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଯେଉଁଥିରେ ସେ ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନକୁ ସମର୍ଥନ ନକରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ମୌଲାନା ଅଜିଜ୍ କହିଛନ୍ତି, ଏହି ଯୁଦ୍ଧ ଇସଲାମ ପାଇଁ ନୁହେଁ ବରଂ ଜାତୀୟତାବାଦ ପାଇଁ । ଅଜିଜ୍‌ ଅଭିଯୋଗ କରିଛନ୍ତି, ପାକିସ୍ତାନରେ ମୁସଲମାନମାନେ ଭାରତ ଅପେକ୍ଷା ଅଧିକ ଅତ୍ୟାଚାର ସହୁଛନ୍ତି । ପାକିସ୍ତାନ ସେନା ଲାଲ୍ ମସଜିଦ ଏବଂ ୱାଜିରିସ୍ତାନରେ ବୋମା ମାଡ଼ କରିଛି, ଯାହା ଭାରତ କେବେ କରିନାହିଁ । ଏହାସହ ସେ ବଲୁଚ, ପଶ୍ତୁନ, ପିଟିଆଇ କର୍ମୀ, ମୌଲବୀ ଏବଂ ସାମ୍ବାଦିକମାନଙ୍କୁ ପାକିସ୍ତାନରେ ବଳପୂର୍ବକ ଅପହରଣ କରାଯାଉଥିବା ଅଭିଯୋଗ କରିଛନ୍ତି । ଏହି ବୟାନ ପାକିସ୍ତାନରେ ତୀବ୍ର ବିବାଦ ସୃଷ୍ଟି କରିଛି । ଲାଲ୍ ମସଜିଦ ପୂର୍ବରୁ ମଧ୍ୟ ଅନେକ ବିବାଦରେ ରହିଛି । ଖାସ୍‌ କରି ୨୦୦୭ ମସିହାରେ ପାକିସ୍ତାନ ସେନାର ଅପରେସନ୍ ପରେ, ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ଟିଟିପି ଭଳି ଆତଙ୍କବାଦୀ ସଂଗଠନ ସୃଷ୍ଟି ହୋଇଥିଲା । ମୌଲାନା ଅଜିଜଙ୍କ ଏହି ବୟାନ ପାକିସ୍ତାନ ସରକାର ଏବଂ ସେନା ଉପରେ ଚାପ ସୃଷ୍ଟି କରିଛି ।