କନକ ବ୍ୟୁରୋ : ଝାରସୁଗୁଡ଼ା ସହର ମାଲିମୁଣ୍ଡାରେ ବନ ବିଭାଗ ଦ୍ବାରା ନିର୍ମାଣ କରାଯାଇଛି ଇକୋ ପାର୍କ । ସୁନ୍ଦର ବଗିଚା ସହ ଲୋକଙ୍କ ମନୋରଞ୍ଜନ ଓ ଛୋଟ ପିଲା ଖେଳିବା ପାଇଁ ବିଭିନ୍ନ ସରଞ୍ଜାମ ରହିଥିଲା । ହେଲେ ୩ ରୁ ୪ ବର୍ଷ ହେଲାଣି ଏହାର ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦିଆଯାଉନାହିଁ । ବହୁ ଅବ୍ୟବସ୍ଥା ମଧ୍ୟରେ ରହିଥିବା ଏହି ପାର୍କ ଏବେ ଜଙ୍ଗଲରେ ପରିଣତ ହୋଇଛି ।
ଝାରସୁଗୁଡ଼ା ଜିଲ୍ଲା ମାଲିମୁଣ୍ଡାରେ ଗତ ୨୦୧୩ରେ ପ୍ରତିଷ୍ଠା କରାଯାଇଥିଲା ଇକୋ ପାର୍କ । ପ୍ରାୟ ୩୨ ଏକରରେ ନିର୍ମିତ ଏହି ପାର୍କଟି ଏବେ ଜଙ୍ଗଲ । ଅନାବନା ଗଛ ଓ ବଣବୁଦାରେ ପୋତି ହୋଇଗଲାଣି । ଦୋଳି ସହ ଅନ୍ୟାନ୍ୟ ସାମଗ୍ରୀ ଉପୁଡ଼ିଯିବା ସ୍ଥିତିରେ । ଘାସ ଭର୍ତ୍ତି ସୁଇମିଂ ପୁଲ୍ । ପାର୍କ ପରିସରରେ ମଦ ବୋତଲ ପଡ଼ିଥିବାର ଦେଖିବାକୁ ମିଳୁଛି । ପୂର୍ବ ପରି ଆଉ ପାର୍କରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁନି ।
୨୦୨୧ ପୂର୍ବରୁ ପାର୍କର ରକ୍ଷଣାବେକ୍ଷଣ ବନବିଭାଗ ପକ୍ଷରୁ କରାଯାଉଥିଲା । ପରେ ବନ ବିଭାଗ ତରଫରୁ ଏକ କମିଟି ଗଠନ କରାଯାଇ ପାର୍କର ଦାୟିତ୍ବ ଦିଆଗଲା । ସେବେଠାରୁ ପାର୍କର ରକ୍ଷଣାବେକ୍ଷଣ ଠିକ ଭାବେ ହୋଇପାରୁନି । ପାର୍କର ଏଣ୍ଟ୍ରି ଫିସ୍ ଓ ପାର୍କିଂ ଫି’ ବାବଦକୁ ଯେଉଁ ଟଙ୍କା ଆସୁଛି ସେଥିରେ ମରାମତି ସହ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବ ହେଉନାହିଁ । ଏନେଇ ପ୍ରଶାସନ ସହ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ଆସିଛି ।
ପାର୍କର ପୁନରୁଦ୍ଧାର ଦିଗରେ ସଠିକ ଭାବେ ଧ୍ୟାନ ଦିଆଗଲେ ଏହା ଝାରସୁଗୁଡ଼ାର ଭଲ ପର୍ଯ୍ୟଟନସ୍ଥଳୀ  ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/14/24-2025-10-14-18-54-30.jpg)