କନକ ବ୍ୟୁରୋ : ଜରାଜୀର୍ଣ୍ଣ ଆର୍ଯ୍ୟପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ। ୨୦୨୦ରେ ସର୍ଟ ସର୍କିଟ୍‌ ଯୋଗୁଁ ଆଶ୍ରୟସ୍ଥଳୀର ବିଭିନ୍ନ ସାମଗ୍ରୀ ପୋଡ଼ି ଯାଇଥିଲା । ଯାହା ଯେତିକି ଅସବାବପତ୍ର ଥିଲା ସେଗୁଡ଼ିକ ନଷ୍ଟ ହେବା ସହ କବାଟ ଝରକା ଭାଙ୍ଗିଗଲାଣି । ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ୱାର ପ୍ରଶାସନ ନିକଟରେ ଦାବି କରିଛନ୍ତି, କିନ୍ତୁ କେହି କିଛି ଶୁଣିନଥିବା ଅଭିଯୋଗ ହୋଇଛି । ଆଉ ଯେତେବେଳେ ସାମୁଦ୍ରିକ ଝଡ଼ର ଆଶଙ୍କା ହେଲେ ସମୁଦ୍ର କୁଳିଆ ଲୋକଙ୍କ ନିଦ ହଜିଯାଉଛି । ଯଦି ବାତ୍ୟା ଆସେ ତେବେ କେଉଁଠି ଆଶ୍ରୟ ନେବେ । ତାକୁ ନେଇ ଭାଳେଣୀ ପଡ଼ିଛି ।

Advertisment

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଇଥାଏ ପ୍ରଶାସନ । ସମୁଦ୍ରକୂଳିଆ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମକଡ଼୍ରିଲ କରାଯାଉଛି । ଏତେ ପରେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ କେମିତି ଅଛି, ତା ଉପରେ କାହାର ନଜର ପଡୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ବଡ଼ ଆର୍ଯ୍ୟପଲ୍ଲୀରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ।

ସମୁଦ୍ରକୂଳକୁ ଲାଗି ରହିଛି ବଡ଼ ଆର୍ଯ୍ୟପଲ୍ଲୀ ଗାଁ । ଗାଁ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ପ୍ରଶାସନ ବାତ୍ୟା ଆଶ୍ରୟସ୍ଥଳୀ ହୋଇଛି । ୨୦୨୦ରେ ଆଶ୍ରୟସ୍ଥଳୀରେ ଅଗ୍ନିକାଣ୍ଡ ଘଟି ସବୁ ସାମଗ୍ରୀ ପୋଡ଼ି ଯାଇଥିଲା । ଏହାରି ଭିତରେ ୪ବର୍ଷ ବିତିଲାଣି, ନୂଆ ସାମଗ୍ରୀ ଆସିନାହିଁ । ଯାହା ପୁରୁଣା ସାମଗ୍ରୀ ଥିଲା ତାହା ଚୋରି ହୋଇଗଲାଣି । କବାଟ ଝରକା ଭାଙ୍ଗିରୁଜି ଯାଇଛି । ଏଭଳି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବାତ୍ୟା ଆଶ୍ରୟସ୍ଥଳୀରେ କେମିତି ରହିବୁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବଡ଼ ଆର୍ଯ୍ୟପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ଅବସ୍ଥା ସମ୍ପର୍କରେ ଅବଗତ ଅଛନ୍ତି ଛତ୍ରପୁର ବିଡ଼ିଓ । ଜରୁରୀକାଳିନ ଅଧିକାରୀଙ୍କୁ ଜଣାଇଛନ୍ତି । ସାମଗ୍ରୀ ଚୋରିକୁ ନେଇ ମାମଲା ରୁଜୁ ହୋଇଛି । ଏସଆରସି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଛତ୍ରପୁର ବିଡ଼ିଓ ।

ଦୀର୍ଘବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବଡ଼ ଆର୍ଯ୍ୟପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା କେବେ ସୁଧୁରିଛି, ତାହାକୁ ହିଁ ଅପେକ୍ଷା ।